ନୂଆଦିଲ୍ଲୀ: ପାକସ୍ତାନ ନାଗରିକ ସୀମା ହାଇଦର ଓ ତାଙ୍କ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଚଳିବା ପାଇଁ ସଚିନଙ୍କ ପରିବାରରେ ଟଙ୍କାର ଅଭାବ ଦେଖା ଦେଇଥିବା ବେଳେ ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମା ଓ ସଚିନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ସୀମାଙ୍କୁ ତାଙ୍କର ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଅଫର ଦେଇଥିଲେ।
ଏବେ ସୀମା କେଉଁ ଚରିତ୍ରରେ ଅଭିନୟ କରିବେ ସେ ସୂଚନା ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ କହ୍ନେୟା ଲାଲ୍ ହତ୍ୟାକାଣ୍ଡ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ‘ର’ ଏଜେଣ୍ଟ୍ ଭୂମିକାରେ ନଜର ଆସିବେ ସୀମା। ତାଙ୍କୁ ଏବେ ନିର୍ଦ୍ଦେଶକ ଏକ ସଂଳାପ ଦେଇ ପ୍ରାକ୍ଟିସ୍ ପାଇଁ କହିଛନ୍ତି। ‘‘ହଫିଜ ସାହେବ ଜସ୍ନ କି ତୟାରି କର୍ ରହେ ହେଁ..କବ୍ ହେ ଜସ୍ନ..ଇଦ୍ ମନାଇ ଯାଏଗୀ..ବକ୍ରା ଇଦ୍..ହମେ ଇସ୍ ବାର କୁର୍ବାନି ନେହିଁ ହୋନେ ଦେଙ୍ଗେ..ଇସାଲ୍ଳାହ୍।’’ ସୀମା ଉକ୍ତ ସିନେମାରେ କହିବାକୁ ଥିବା ସଂଳାପ ମଧ୍ୟରୁ ଇଏ ଗୋଟିଏ।
ତାଙ୍କୁ ଏହି ସଂଳାପ ମୁଖସ୍ଥ କରି କହିବା ପାଇଁ ପଠାଯାଇଛି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମକୁ ନେଇ ଏହି ସବୁ ସୂଚନା ଜାରି କରାଯାଇଛି। ଫିଲ୍ମରେ ସୀମା ‘ର’ ଏଜେଣ୍ଟ୍ ଭାବେ ପାକିସ୍ତାନର ଏକ ବଜାରରୁ ଦିଲ୍ଲୀର ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଅଫିସର୍ଙ୍କ ସହ କଥା ହେବେ। ଏହି ସପ୍ତାହରେ ଫିଲ୍ମ ନିର୍ଦ୍ଦେଶକ ଜୟନ୍ତ ସିହ୍ନା ଏବଂ ଭରତ ସିଂହ ସୀମାଙ୍କର ଡାଇଲଗ୍ ଡେଲିଭରି ଟେଷ୍ଟ୍ ନେବେ। ଆଉ ସୀମା ଯଦି ଟେଷ୍ଟରେ କୃତକାର୍ଯ୍ୟ ହୁଅନ୍ତି ତେବେ ସିନେମାରେ ଅଭିନୟ ପକ୍କା।