ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ନିରନ୍ତର ଶିରୋନାମାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି।

Advertisment

ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏହି ଖବର ହେଉଛି ଚାରି ସନ୍ତାନର ମା’ ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଛନ୍ତି। ଅର୍ଥାତ ସେ ପଞ୍ଚମ ଥର  ମା’ ହେବେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଏହା ମଧ୍ୟ କୁହାଯାଉଛି ଯେ ଟଙ୍କା ଅଭାବରୁ ସୀମା ଏବଂ ତାଙ୍କ ସ୍ୱାମୀ ସଚିନଙ୍କୁ ଘର ଚଳାଇବା କଷ୍ଟକର ହୋଇପଡୁଛି। ଏସବୁ ଭିତରେ ସୀମାଙ୍କ ବିରୋଧରେ ବିଭିନ୍ନ ଏଜେନ୍ସି ତଦନ୍ତ ଜାରି ରଖିବା ସହିତ ପାକିସ୍ତାନକୁ ମଧ୍ୟ ଏ ସମ୍ପର୍କରେ ଯୋଗାଯୋଗ କରାଯାଉଛି। କୁହାଯାଉଛି କି ଯଦି ପାକିସ୍ତାନ ସୀମାଙ୍କୁ ନାଗରିକ ଭାବରେ ଗ୍ରହଣ କରେ, ତେବେ ତାଙ୍କୁ ପାକିସ୍ତାନକୁ ପଠାଇ ଦିଆଯିବ।

ସୀମା ଏବଂ ସଚିନଙ୍କ କହିବାନୁସାରେ, ସେମାନଙ୍କର ପ୍ରଥମ ସାକ୍ଷାତ କିଛି ମାସ ପୂର୍ବରୁ ନେପାଳରେ ହୋଇଥିଲା। ସେଠାରେ ଉଭୟ ବିବାହ କରିଥିଲେ। ତେବେ ସମ୍ପ୍ରତି ଆଲୋଚନା ହେଉଛି ଯେ ସୀମା ହାଇଦର ପାଞ୍ଚ ମାସର ଗର୍ଭବତୀ ଅଛନ୍ତି। ସଚିନ ଏବଂ ସୀମା କିଛି ଦିନ ପୂର୍ବରୁ ମେଡିକାଲ ଯାଞ୍ଚ ପାଇଁ ଯାଇଥିଲେ।

ଅନ୍ୟପକ୍ଷରେ ସୀମା ହାଇଦର ଜଣେ ପାକିସ୍ତାନୀ ଗୁପ୍ତଚର ନା ଜଣେ ସାଧାରଣ ନାଗରିକ ପୁଲିସ କି ଏଜେନ୍ସି ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇ ପାରି ନାହାନ୍ତି। ଏହି କାରଣରୁ ସୀମାଙ୍କୁ ପାକିସ୍ତାନ ପଠାଇବାକୁ ପଡିବ ନା ସେ ସଚିନଙ୍କ ସହ ଭାରତରେ ରହିବେ ସେନେଇ କୌଣସି ନିଷ୍ପତ୍ତି ଏଯାଏଁ ନିଆଯାଇ ନାହିଁ।