ପ୍ରଶାସନିକ ଅଧିକାରୀ ହେବାକୁ ଚାହୁଁଥିଲେ ନିର୍ଭୟା ମାମଲାର ଅସଲ ନାୟିକା, ୭ ବର୍ଷ ବିନା ପାରିଶ୍ରମିକରେ ଲଢ଼େଇ କରି ନିର୍ଭୟାଙ୍କୁ ନ୍ୟାୟ ଦେଲେ ସୀମା

ନୂଆଦିଲ୍ଲୀ: ସାତ ବର୍ଷ ପରେ ଆଜି ଦୀର୍ଘ ଅପେକ୍ଷାର ଅବସାନ ଘଟିଛି। ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ନିର୍ଭୟା ଦୋଷୀ। ମାର୍ଚ୍ଚ ୨୦, ୨୦୨୦ ସକାଳ ସାଢ଼େ ୫ଟାରେ ୪ ନରପିଶାଚଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି। ତେବେ ଏହି ପ୍ରକ୍ରିୟାରେ ଯାହାଙ୍କର ସବୁଠାରୁ ବଡ଼ ହାତ ଥିଲା ‌ସେ ହେଉଛନ୍ତି ନିର୍ଭୟାଙ୍କ ଓକିଲ ସୀମା କୁଶୱାହା। ଗୋଟିଏ ପଟେ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ପୂରା ଦମ୍ ଲଗାଇ ଦେଇଥିଲେ। ଅଭିଯୁକ୍ତଙ୍କ ଫାଶୀ ଟାଳିବା ପାଇଁ ସମସ୍ତ ବିକଳ୍ପ ମଧ୍ୟ ବ୍ୟବହାର କରିନେଲେ। ହେଲେ ଏହି ନ୍ୟାୟିକ ଲଢ଼େଇରେ ହାରି ଯାଇ ନଥିଲେ ନିର୍ଭୟାଙ୍କ ଓକିଲ ସୀମା। ଶେଷରେ ଧର୍ମର ଜୟ ହେବା ସହ ଓକିଲ ସୀମା କୁଶୱାହା ଏ ପି ସିଂଙ୍କ ସହ ଲଢ଼େଇ କରି ନିର୍ଭୟାଙ୍କୁ ନ୍ୟାୟ ଦେଲେ।

ତେବେ ସବୁଠାରୁ ବଡ଼ କଥା ହେଲା, ୭ ବର୍ଷରେ ଗୋଟିଏ ବି ଟଙ୍କା ନ ନେଇ ଲଢ଼େଇ କରିଥିଲେ ସୀମା। ଚାରି ଦୋଷୀଙ୍କୁ ଫାଶୀ ମିଳିବା ପରେ ସୀମା କୁଶୱାହାଙ୍କୁ ଏବେ ଶୁଭେଚ୍ଛା ଦିଆଯାଉଛି। ନିର୍ଭୟା ପାଇଁ କୌଣସି ପାରିଶ୍ରମିକ ନ ନେଇ ଲଢ଼େଇ କରିଥିବାରୁ ଏବେ ସେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି।

Image result for seema kushwaha
Naidunia

ଉତ୍ତରପ୍ରଦେଶର ବାସିନ୍ଦା ସୀମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ୍‌ ପାଠ ପଢ଼ିଥିଲେ। ମିଡ଼ିଆ ରିପୋର୍ଟ ଅନୁସାରେ, ସେ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବା ପାଇଁ ଚାହୁଥିଲେ। ହେଲେ ଭଗବାନଙ୍କ ଇଚ୍ଛା ଥିଲା ଭିନ୍ନ। ପ୍ରଶାସନିକ ଅଧିକାରୀ ନ ହୋଇ ସେ ଓକିଲାତି ପାଠ ପଢ଼ିଥିଲେ। ଆଜି ସେ ଓକିଲ ହୋଇ ନିର୍ଭୟାଙ୍କୁ ନ୍ୟାୟ ଦେଇପାରିଛନ୍ତି। ୨୦୧୨ରେ ନିର୍ଭୟା କାଣ୍ଡ ଘଟିଥିବା ବେଳେ ସେହି ସମୟରେ କୋର୍ଟରେ ଟ୍ରେନିଂ ନେଉଥିଲେ ସୀମା। ନିର୍ଭୟା ଘଟଣା ଘଟିବା ପରେ ସେ ମାଗଣାରେ କେସ୍‌ ଲଢ଼ିବା ପାଇଁ ଘୋଷଣା କରିଥିଲେ। ଆଉ ସେହି ସମୟରେ ବିନା ଟଙ୍କାରେ ନିର୍ଭୟାଙ୍କ ମାମଲା ଲଢ଼ି ତାଙ୍କୁ ନ୍ୟାୟ ଦେବାପାଇଁ ସୀମା ପଣ କରିଥିଲେ।

ନିର୍ଭୟା ମାମଲା ସୀମାଙ୍କ କ୍ୟାରିୟରର ପ୍ରଥମ କେସ୍‌ ଥିଲା, ଯାହା ତାଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜିଂ ଥିଲା। ଆଜି ଶେଷରେ ସତ୍ୟର ଜୟ ହୋଇ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଏହି ୭ ବର୍ଷରେ କେବଳ କୋର୍ଟରେ ନୁହେଁ, କୋର୍ଟ ବାହାରେ ମଧ୍ୟ ସୀମା ନିର୍ଭୟାଙ୍କ ମାତା-ପିତାଙ୍କ ସାଥ୍‌ ଦେଇଛନ୍ତି। ନିର୍ଭୟା ନରପିଶାଚଙ୍କୁ ଫାଶୀ ମିଳିବା ପରେ ସୀମା କହିଛନ୍ତି, ଆଜି ମୁଁ ବହୁତ ଖୁସି, ୭ ବର୍ଷ ପରେ ହେଉ ବରଂ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଫାଶୀ ପରେ ନିର୍ଭୟାଙ୍କ ମା’ ପ୍ରଥମେ ସୀମା କୁଶୱାହାଙ୍କୁ କୃତଜ୍ଞତା ଜଣାଇଥିଲେ। ସୀମାଙ୍କ ବିନା ଏ ଲଢ଼େଇ ସମ୍ଭବ ନଥିଲା ବୋଲି କହିଥିଲେ ନିର୍ଭୟାଙ୍କ ମା’।

ସମ୍ବନ୍ଧିତ ଖବର