ଶେହଲା ରଶିଦ୍‌ଙ୍କ ବିବାଦୀୟ ଟ୍ବିଟ୍‌, କଶ୍ମୀରରେ ଲୋକଙ୍କୁ ନିର୍ଯାତନା ଦେଉଛି ସେନା

ଦାବି ଖଣ୍ଡନ କଲା ସେନା, ଶେହଲାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସ୍ଥିତି ସ୍ବାଭାବିକ ପାଇଁ ଭାରତୀୟ ସେନା, ସୁରକ୍ଷାବାହିନୀ, ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଜମ୍ମୁ କଶ୍ମୀର ପିପୁଲ୍ସ ମୁଭମେଣ୍ଟ୍‌ର ନେତ୍ରୀ ଶେହଲା ରଶିଦ୍‌ଙ୍କର ଏକ ଟ୍ବିଟ୍‌ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଶେହଲା ଦାବି କରିଛନ୍ତି ଯେ ଜମ୍ମୁ କଶ୍ମୀରରେ ସାଧାରଣ ଲୋକମାନଙ୍କୁ ସେନା ଦ୍ବାରା ନିର୍ଯାତନା ଦିଆଯାଉଛି। ରାତି ଅଧିଆ ଲୋକଙ୍କ ଘରେ ଚଢ଼ଉ କରାଯାଉଛି ଏବଂ ଯୁବକମାନଙ୍କୁ ଘରୁ ଉଠାଇ ନିଆଯାଇ ଜେରା କରାଯାଉଛି। କିନ୍ତୁ ଶେହଲାଙ୍କର ଏହି ଟିପ୍ପଣୀକୁ ସେନା ପକ୍ଷରୁ ଖଣ୍ଡନ କରାଯାଇଛି। ଶେହଲା ଦେଇଥିବା ଟିପ୍ପଣୀ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ସେନା ପକ୍ଷରୁ କୁହାଯାଇଛି।

ଉଲ୍ଲେଖ‌ଯୋଗ୍ୟ ‌ଶେହଲା ଗତକାଲି ଟ୍ବିଟ୍‌ ମାଧ୍ୟମରେ କହିଥିଲେ, ‘ଜାମ୍ମୁ କଶ୍ମୀର ପୁଲିସର ଆଇନ ଶୃଙ୍ଖଳା ସ୍ଥିତି ଉପରେ କିଛି ନିୟନ୍ତ୍ରଣ ନାହିଁ। ସେମାନଙ୍କର ଏବେ କିଛି କ୍ଷମତା ନାହିଁ। ସବୁକିଛି ଅର୍ଦ୍ଧସାମରିକ ବଳ ହାତରେ ରହିଛି। ସେହିପରି ଅନ୍ୟ ଏକ ପୋଷ୍ଟ୍‌ରେ ସେ କହିଥିଲେ, ସେନା ସଦସ୍ୟମାନେ ରାତି ଅଧରେ ସାଧାରଣ ଲୋକଙ୍କ ଘରେ ଚଢ଼ଉ କରୁଛନ୍ତି। ଯୁବକମାନଙ୍କୁ ଘରୁ ଉଠାଇ ନେଉଛନ୍ତି। ଅନେକ ସାଧାରଣ ଜନତାଙ୍କ ଘର ଭଙ୍ଗାରୁଜା କରୁଛନ୍ତି। ଜାଣିଶୁଣି ରାସନ୍‌ ସାମଗ୍ରୀ ଚଟାଣରେ ଢାଳି ଦେଉଛନ୍ତି। ‌ସୋପିଆନ୍‌ରେ ୪ ଜଣ ଯୁବକଙ୍କୁ ସେନା ଉଠାଇ ନେଇ ଜେରା କରୁଛି ବୋଲି ସେ ଦାବି କରିଛନ୍ତି। ଏନେଇ ସମଗ୍ର ଅଞ୍ଚଳରେ ଭୟ ଖେଳି ଯାଇଛି । କିନ୍ତୁ ସେନା ପକ୍ଷରୁ ଶେହଲାଙ୍କର ଏଭଳି ଟିପ୍ପଣୀକୁ ଭିତ୍ତିହୀନ କୁହାଯାଇଛି। ଅନ୍ୟପକ୍ଷେ ଶେହଲା ଭାରତୀୟ ସେନା ଏବଂ ସରକାରଙ୍କ ବିରୋଧରେ ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ଏକ ଅପରାଧିକ ମାମଲା ରୁଜୁ କରୁଛନ୍ତି। ଜମ୍ମୁ କଶ୍ମୀର ଛାତ୍ର ନେତ୍ରୀ ଶେହଲାଙ୍କ ବିବାଦୀୟ ଟିପ୍ପଣୀକୁ ସେନା ପ୍ରତ୍ୟାଖ୍ୟାନ କରିବା ସହ ଭିତ୍ତିହୀନ ବୋଲି କହିବାପରେ ଶେହଲା ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶେହଲା କହିଛନ୍ତି, ଜମ୍ମୁ କଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି। ସେ ଦେଇଥିବା ଟିପ୍ପଣୀର ନିରପେକ୍ଷ ତଦନ୍ତ କରିବାପାଇଁ ସେ ଦାବି କରିଛନ୍ତି। ଶେହଲା କହିଛନ୍ତି ତାଙ୍କୁ ଗିରଫ କରିବା ନେଇ ଯେଉଁ ଦାବି ହେଉଛି ତାହାଦ୍ବାରା କଶ୍ମୀରରେ ହେଉଥିବା ଅବିଚାରରୁ ଦୃଷ୍ଟି ହଟି ପାରିବନି।

ସମ୍ବନ୍ଧିତ ଖବର