କୋଲକାତା : ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୫୦ କୋଟି ଟଙ୍କା ସହିତ ୫ କେଜି ସୁନା ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ପାର୍ଥ ଆଜି କହିଛନ୍ତି ଜବତ ଟଙ୍କା ତାଙ୍କର ନୁହେଁ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରି ଅର୍ପିତାଙ୍କ ଦୁଇଟି ଘରୁ ପାଖାପାଖି ୫୦ କୋଟି ଟଙ୍କା ଜବତ କରିଛି। ଏହି ମାମଲାରେ ଉଭୟ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରାଯାଇଛି। କୋଲକାତାଠାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏକ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସମୟରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିବାରୁ ପାର୍ଥ ଏହା କହିଛନ୍ତି। ସମୟ ଆସିଲେ ସେମାନେ ସବୁକଥା ଜାଣିବାକୁ ପାଇବେ ବୋଲି ପାର୍ଥ କହିଛନ୍ତି। ତେବେ ଶିକ୍ଷକମାନଙ୍କ ବଦଳି ଓ କଲେଜଗୁଡ଼ିକୁ ସ୍ବୀକୃତି ଦେବା ପାଇଁ ଏହି ଟଙ୍କା ସଂଗ୍ରହ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀମାନଙ୍କୁ ଅର୍ପିତା କହିଛନ୍ତି। କିନ୍ତୁ ବିଜେପି ଅଭିଯୋଗ କରିଛି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପୃକ୍ତି ରହିଛି। ପ୍ରଥମେ ତୃଣମୂଳ କଂଗ୍ରେସ ପାର୍ଥଙ୍କ ସମର୍ଥନରେ ବାହାରିଥିଲା। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଥିଲା। କିନ୍ତୁ ପରେ ଦଳ ଏହାର ମତ ବଦଳାଇବା ସହିତ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛି ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/partha-1.jpg)