ଏକାନ୍ତବାସରେ ଥିବାରୁ ପୁଲିସ ସମନର ଉତ୍ତର ଦେବା ସମ୍ଭବ ନୁହେଁ : ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଏଥିପାଇଁ ମୁଖ୍ୟତଃ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ହୋଇଥିବା ତବଲିଗି ଜମାତ ଧର୍ମ ସମ୍ମିଳନୀକୁ ଦାୟୀ କରାଯାଉଛି । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୦ ପ୍ରତିଶତ ଏହି ସମ୍ମିଳନୀ ସହ ସଂପୃକ୍ତ ବୋଲି ଜଣାପଡ଼ିଛି ।
କରୋନା ସଂପର୍କିତ କଟକଣା ସତ୍ତେ୍ୱ ବିନା ସରକାରୀ ଅନୁମତିରେ ଏହି ସମ୍ମିଳନୀ ହୋଇଥିବାରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପକ୍ଷରୁ ତବଲିଗି ଜମାତର ମୁଖ୍ୟ ମୌଲାନା ମହମ୍ମଦ ସାଦ ଖଣ୍ଡାଲବୀଙ୍କୁ ସମନ ଜାରି କରାଯାଇଥିଲା । ଏହି ସମନର ଜବାବ ଦେଇ ସାଦ କହିଛି ଯେ ସେ ଏବେ ଏକାନ୍ତବାସରେ ଥିବାରୁ ଏହି ସମନରେ ପଚରାଯାଇଥିବା ତଥ୍ୟ ଦେବା ସମ୍ଭବ ନୁହେଁ । ଲକଡାଉନ ପରେ ମର୍କଜ ଖୋଲିବା ପରେ ହିଁ ସେ ଏହି ସମ୍ମିଳନୀ ସଂପର୍କିତ ତଥ୍ୟ ଦେଇପାରିବେ ।
କଟକଣା ସତ୍ତେ୍ୱ ଏହି ସମ୍ମିଳନୀ କରିଥିବାରୁ ପୁଲିସ ପକ୍ଷରୁ ସାଦ ଓ ଅନ୍ୟ ୬ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରି ତଦନ୍ତ ଜାରି ରହିଛି । ଶନିବାରଦିନ କ୍ରାଇମବ୍ରାଞ୍ଚର ଏକ ଟିମ ନିଜାମୁଦ୍ଦିନ ଇଲାକାରେ ଥିବା ମର୍କଜକୁ ଯାଇ ତଦନ୍ତ କରିଥିଲା ।
ତେବେ ଏଫଆଇଆର ରୁଜ୍ଜୁ ହେବାପରେ ମୌଲାନା ଫେରାର ଥିବା ଜଣାଯାଇଛି । କିନ୍ତୁ ସେ ଫେରାର ହୋଇନାହାନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି ।

ସମ୍ବନ୍ଧିତ ଖବର