ଆତ୍ମଘୋଷିତ ଧର୍ମଗୁରୁ ବୀରେନ୍ଦ୍ର ଦେଓ ଦିକ୍ଷୀତଙ୍କ ବିରୋଧରେ ଇଣ୍ଟର୍‌ପୋଲ୍‌ ନୋଟିସ୍‌

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ବୀରେନ୍ଦ୍ର ‌ଦେଓ ଦିକ୍ଷୀତଙ୍କ ବିରୋଧରେ ଇଣ୍ଟରପୋଲ୍‌ ନୋଟିସ୍‌ ଜାରି ହୋଇଛି। ଦିଲ୍ଲୀର ରୋହିଣୀ ସ୍ଥିତ ଏକ ଆ‌ଶ୍ରମରେ ଅନେକ ନାବାଳିକା ଝିଅଙ୍କୁ ବନ୍ଦୀ କରି ରଖିବା ସହ ସେ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ଉକ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଉତ୍ତର ଦିଲ୍ଲୀର ବିଜୟ ବିହାରର ଆଧ୍ୟାତ୍ମିକ ବିଶ୍ବ ବିଦ୍ୟାଳୟରେ ମହିଳା ଏବଂ ନାବାଳିକାମାନଙ୍କୁ ‌‌ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଦିଲ୍ଲୀ ପୁଲିସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ୩ଟି ଏତଲା ରୁଜୁ କରିଥିଲା। ତେବେ ମାମଲାର ପର୍ଦ୍ଦାଫାସ ହେବା ପରଠାରୁ ୭୯ ବର୍ଷୀୟ ଦିକ୍ଷୀତ ଫେରାର୍‌ ଅଛନ୍ତି।

ସେ ନେପାଳରେ ଲୁଚିଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ଇଣ୍ଟରପୋଲ୍‌ ରେଡ୍‌ କର୍ନର୍‌ ନୋଟିସ୍‌ ଜାରି କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବୀରେନ୍ଦ୍ର ଦେଓଙ୍କୁ ଧରିବାପାଇଁ ସିବିଆଇ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ୨୦୧୮ରେ ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହୋଇଥିଲା। ବୀରେନ୍ଦ୍ର ସିଂହ ବିରୋଧରେ ଅନେକ ଅଭିଭାବକ ଯୌନ ନିର୍ଯାତନା ଅଭି‌ଯୋଗ ଆଣିଥିଲେ। ଅଭିଯୋଗ ପାଇବାପରେ ତାଙ୍କ ଆଶ୍ରମରେ ଚଢ଼ଉ ହୋଇଥିଲା ଏବଂ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଝିଅମାନଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର