ଆତ୍ମନିର୍ଭର ଭାରତ ନିର୍ମାଣରେ କୃଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ମୋଦୀ

ମନ୍‌ କୀ ବାତ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କୃଷି ବିଲ୍‌ ଉପରେ ଆଲୋକପାତ କରିଛନ୍ତି। ସରକାରଙ୍କ ନୂଆ କୃଷି ବିଲ୍‌କୁ ବିରୋଧ କରି ଏବେ ଦେଶର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ମୋଦୀ ଏହି କୃଷି ବିଲ୍‌ ପ୍ରସଙ୍ଗରେ କୃଷକମାନଙ୍କୁ ଏହାର ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ ବୁଝାଇଛନ୍ତି। ନୂଆ କୃଷି ବିଲ୍‌ କିଭଳି କୃଷକମାନଙ୍କୁ ସହଯୋଗ କରିବ ଏବଂ ଏକ ଆତ୍ମନିର୍ଭର ଭାରତ ସୃଷ୍ଟି କରିବାରେ ଏହା କିଭଳି ସହାୟକ ହୋଇପାରିବ ତାହା ମୋଦୀ ‘ମନ୍‌ କୀ ବାତ୍‌’ରେ କହ‌ିଛନ୍ତି। ଏହି ବେତାର କାର୍ଯ୍ୟକ୍ରମର ୬୯ ତମ ସଂସ୍କରଣରେ ମୋଦୀ କହିଛନ୍ତି, କରୋନା ମହାମାରୀ ସମୟରେ କୃଷିକ୍ଷେତ୍ରର ସ୍ଥିରତା କୃଷକର ଶକ୍ତିକୁ ପ୍ରତିଫଳିତ କରିଛି। ଆତ୍ମନିର୍ଭର ଭ‌ାରତ ନିର୍ମାଣ କରିବାରେ କୃଷକମାନେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ଯଦି କୃଷକମାନେ ସଶକ୍ତ ରହିବେ ତେବେ ଦେଶ ବି ସୁଦୃଢ଼ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ କହିଛନ୍ତି,‌ ନୂଆ‌ କୃଷି ବିଲ୍‌ ଦେଶର କଠୋର ପରିଶ୍ରମୀ କୃଷକମାନଙ୍କୁ ଅଧିକ ସଶକ୍ତ କରିବ। କୃଷକମାନେ ଏବେ ସେମାନଙ୍କ ଉତ୍ପାଦକୁ ଦେଶର ଯେ କୌଣସି ସ୍ଥାନରେ ଏବଂ‌ ଯେକୌଣସି ବ୍ୟକ୍ତିଙ୍କୁ ବିକି ପାରିବେ। ଏହ‌ା ‌ସେମାନଙ୍କ ଶକ୍ତି ଏବଂ ସେମାନଙ୍କ ପ୍ରଗତିର ଆଧାର। କେବଳ, ଫଳ କିମ୍ବା ପନିପରିବା ନୁହେଁ ନିଜ କ୍ଷେତରେ କୃଷକ ଯାହା ବି ଫଳାଇଛି ତାହାକୁ ସେ ଉଚ୍ଚ ମୂଲ୍ୟରେ ଯେକୌଣସି ବ୍ୟକ୍ତିଙ୍କୁ ବିକ୍ରି କରିପାରିବ। ଏହାଦ୍ବାରା କୃଷକମାନେ ଅଧିକ ଲାଭବାନ ହେବେ ବୋଲି ମୋଦୀ କହିଛନ୍ତି। ଉନ୍ନନମାନର ଜ୍ଞାନକୌଶଳର ବ୍ୟବହାର ସହିତ କୃଷିକ୍ଷେତ୍ରରେ ବହୁତ ଲାଭ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର