ରାୟପୁର: ଛତିଶଗଡ଼ କୋରିୟା ଜିଲ୍ଲାରେ ଥିବା ରାମଦହ ଜଳପ୍ରପାତରେ ରବିବାର (ଅଗଷ୍ଟ ୨୮) ଗୋଟିଏ ପରିବାରର ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ସେମାନେ ଜଳପ୍ରପାତରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। କିନ୍ତୁ ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ପରିବାରର ଦୁଇଜଣ ସ୍ତ୍ରୀଲୋକ ସେଲ୍ଫି ଉଠାଇବା ପାଇଁ ଜଳପ୍ରପାତକୁ ଯାଇଥିଲେ।
ସେମାନେ ସେଲ୍ଫି ଉଠାଉ ଉଠାଉ ଜଳପ୍ରପାତ ଭିତରକୁ ଖସିପଡ଼ିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାରର ଅନ୍ୟ ଚାରିଜଣ ଜଳକୁ ଡେଇଁ ସମସ୍ତେ ସଲିଳ ସମାଧି ନେଇଥିଲେ। ରବିବାର ସଂଧ୍ୟାରେ ତିନିଜଣଙ୍କର ଶରୀର ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କର ଶବ ସୋମବାର ସକାଳେ ମିଳିଥିଲା। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଗୋଟିଏ ପରିବାରର ୧୫ ଜଣ ସଦସ୍ୟ କୋଟାଡୋଲ ଥାନା ଅନ୍ତର୍ଗତ ରାମଦହ ଜଳପ୍ରପାତ ଦେଖିବା ପାଇଁ ଯାଇଥିଲେ। ସେଲ୍ଫି ନେବାର ଅଦମ୍ୟ ଆଗ୍ରହ ଯୋଗୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ସରକାର ଉକ୍ତ ଜଳପ୍ରପାତ ନିକଟରେ ଏକ ସତର୍କ ସୂଚନା ଫଳକ ଲାଗାଇବାକୁ ନିଷ୍ପତ୍ତି ନେଇଛନ୍ତି।