ନିଃସ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବାର ଏକ ବିରଳ ଉଦାହାରଣ ସୃଷ୍ଟି କଲେ ୨ ସିଆରପିଏଫ୍‌ ଜବାନ; ରକ୍ତ କର୍କଟ ପୀଡ଼ିତାଙ୍କୁ ରକ୍ତ ଦେବା ପାଇଁ ଇଦ୍‌ର ଦିନକ ପୂର୍ବରୁ ଭାଙ୍ଗିଦେଲେ ରୋଜା

ଶ୍ରୀନଗର: ଜମ୍ମୁ କଶ୍ମୀର ଉପତ୍ୟକାରେ ଜନୈକା କର୍କଟ ରୋଗ ପୀଡ଼ିତା ମହିଳାଙ୍କୁ ରକ୍ତ ଦେବା ପାଇଁ ସିଆରପିଏଫ୍‌ର ଦୁଇଜଣ ଜବାନ ସେମାନଙ୍କର ‘ରମଜାନ୍‌ ରୋଜା’କୁ ପବିତ୍ର ଇଦ୍‌ ଉତ୍ସବର ଦିନକ ପୂର୍ବରୁ ଭାଙ୍ଗିଦେବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇ ଜବାନଙ୍କର ଏହି ନିଃସ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବା ବିଷୟରେ ଖବର ପ୍ରସାରିତ ହେବା ପରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏବେ ଏମାନଙ୍କର ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି।

ସିଆରପିଏଫ୍‌ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ, ଗତକାଲି ସିଆରପିଏଫ୍‌ର ‘ମଦଦ୍‌ଗାର’ ହେଲପଲାଇନ୍‌ ନମ୍ବରକୁ ଶ୍ରୀନଗର ଖିସ୍ତଓ୍ଵାର ଅଞ୍ଚଳର ବାସିନ୍ଦା ଅନୀଲ ସିଂହଙ୍କର ଏକ ଫୋନ୍‌ ଆସିଥିଲା। ସେ ରକ୍ତ କର୍କଟ ରୋଗରେ ପୀଡ଼ିତା ଥିବା ତାଙ୍କ ଭଉଣୀ ପୂଜା ଦେବୀଙ୍କ ରକ୍ତ ସାହାଯ୍ୟ ମାଗୁଥିଲେ। ତାଙ୍କର ୬ ୟୁନିଟ ରକ୍ତର ଆବଶ୍ୟକତା ରହିଥିବା ବେଳେ ସେ ତାଙ୍କର ପରିବାରର ସଦସ୍ୟମାନଙ୍କ ନିକଟରୁ ମାତ୍ର ୨ ୟୁନିଟ ରକ୍ତ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ; ତଥାପି ତାଙ୍କର ଆଉ ୪ ୟୁନିଟ ରକ୍ତର ଆବଶ୍ୟକତା ରହିଥିଲା।
ଏକଥା ଜାଣିବା ପରେ ଶ୍ରୀନଗରଠାରେ ଅବସ୍ଥାପିତ ଥିବା ସିଆରପିଏଫ୍‌ର ସବ୍‌- ଇନସପେକ୍ଟର ସଞ୍ଜୟ ପାଶଓ୍ଵାନ୍‌, କନେଷ୍ଟବଲ ରାମନିବାସ, ମୁଦାସିର ରସୁଲ ଭଟ୍ଟ ଓ ମହମ୍ମଦ ଅସଲମ୍‌ ମୀର୍‌ ଯାଇ ସ୍ୱେଚ୍ଛାକୃତ ଭାବେ ୪ ୟୁନିଟ ରକ୍ତ ଦାନ କରିଥିଲେ। ତେବେ, ରମଜାନ୍‌ ପାଇଁ ରୋଜା ରଖିଥିବା ଭଟ୍ଟ ଓ ମୀର ଖାଲିପେଟରେ ଥିବା କାରଣରୁ ଡାକ୍ତର ମନା କରିଦେବାରୁ ସେମାନେ ଖାସ୍‌ ରକ୍ତଦାନ କରିବା ପାଇଁ ମାସ ବ୍ୟାପି ରଖିଥିବା ରୋଜାକୁ ଭାଙ୍ଗି ଦେଇଥିଲେ ବୋଲି କହିଛନ୍ତିି ସିଆରପିଏଫ୍‌ର ଜନୈକ ବରିଷ୍ଠ ଅଧିକାରୀ।

ସମ୍ବନ୍ଧିତ ଖବର