ବିକ୍ରି ହେବ ନିରବ ମୋଦିଙ୍କ ୧୭୩ଟି ଦାମୀ ପେଣ୍ଟିଙ୍ଗ ଓ ୧୧ଟି ବିଳାସପୂର୍ଣ୍ଣ କାର, ପତ୍ନୀ ବିରୋଧରେ ବି ଜାରି ହେବ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନବି)ରେ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଲଣ୍ଡନ ପୁଲିସ ଗିରଫ କରାଯାଇଛି। ଗିରଫ ପରେ ନିରବଙ୍କ ଭାରତରେ ଥିବା ସମ୍ପତ୍ତିର ବିକ୍ରି କରାଯିବ ବୋଲି ସୂଚନା ମିଳିଛି।

ନିରବ ମୋଦିଙ୍କ ସମ୍ପତ୍ତି ବିକ୍ରି ନେଇ ମୁମ୍ବାଇ ସ୍ଥିତ ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ (ପିଏମ୍‌ଏଲ୍‌ଏ) କୋର୍ଟ ପକ୍ଷରୁ ଇଡିକୁ ସବୁଜ ସଙ୍କେତ ମିଳି ସାରିଛି । ଏହାସହ କୋର୍ଟ ନିରବଙ୍କ ପତ୍ନୀ ଆମି ମୋଦିଙ୍କ ବିରୁଦ୍ଧରେ ମଧ୍ୟ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ନିରବ ମୋଦିଙ୍କ ୧୭୩ଟି ଦାମୀ ପେଣ୍ଟିଂ ଏବଂ ୧୧ଟି ବିଳାସପୂର୍ଣ୍ଣ କାରକୁ ବିକ୍ରି କରିବାକୁ ମଞ୍ଜୁରୀ ମିଳିସାରିଛି । ଏହି ନିଲାମୀ ଦ୍ଵାରା ସେସବୁ ସମ୍ପତ୍ତି ବିକ୍ରି କରାଯିବ। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ୪,୭୬୫ କୋଟି ଟଙ୍କା ସମ୍ପତ୍ତି ଜବତ ହୋଇ ସାରିଛି ।

Maharashtra Times

ଉଲ୍ଲେଖଯୋଗ୍ୟ, ଗିରଫ ପରେ ନିରବଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟରଙ୍କ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ। ସେତେଦିନ ପର୍ଯ୍ୟନ୍ତ ନିରବ ବିଚାର ବିଭାଗୀୟ ହାଜତ (ଜେଲ)ରେ ରହିବେ। ତାଙ୍କୁ ଭାରତ ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର