ଇଣ୍ଡୋନେସିଆର ସେମେରୁ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ

ନୂଆଦିଲ୍ଲୀ : ହାଓ୍ବାଇ ପରେ ଏବେ ଇଣ୍ଡୋନେସିଆରେ ଥିବା ସେମେରୁ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଯାଇଛି । ଏହା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି ।

ପୂର୍ବ ଜାଭା ପ୍ରଦେଶରେ ଥିବା ସେମେରୁ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଆଗ୍ନେୟଗିରିରୁ ରବିବାରଦିନ ଘଞ୍ଚ କଳାଧୂଆଁ ଓ ପାଉଁଶ ନିର୍ଗତ ହେବା ପରେ ଜ୍ବଳନ୍ତ ଲାଭା ନିର୍ଗତ ହେବା ଆରମ୍ଭ ହୋଇଯାଇଛି । ଏହି ଆଗ୍ନେୟଗିରି ଏକ ଜନାକୀର୍ଣ୍ଣ ସ୍ଥାନରେ ଥିବାରୁ ଲୋକମାନଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ଏହି ପର୍ବତର ୮ କିଲୋମିଟର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ । ଶେଷଥର ପାଇଁ ଗତ ବର୍ଷ ଡିସେମ୍ବର ମାସରେ ସେମେରୁରୁ ଅଗ୍ନି ଉଦଗୀରଣ ହୋଇଥିଲା ।

ଇଣ୍ଡୋନେସିଆ ସରକାର ଏହି ଅଗ୍ନି ଉଦଗୀରଣକୁ ଦୃଷ୍ଟିରେ ରଖି ୪ ନମ୍ବର ସତର୍କତା ଜାରି କରିଛନ୍ତି । ଏହାର ଅର୍ଥ ହୋଉଛି ଲୋକମାନଙ୍କ ଘରଦ୍ବାର ପ୍ରତି ବିପଦ ରହିଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଗତ ସପ୍ତାହରେ ହାଓ୍ବାଇର ମୌନାଲୋଆରୁ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଥିଲା । ମୌନା ଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି ବୋଲି କୁହାଯାଏ । ମୌନା ଲୋଆର ଉଚ୍ଚତା ସମୁଦ୍ର ପତ୍ତନରୁ ପ୍ରାୟ ୪୧୬୯ ମିଟର ।

ସମ୍ବନ୍ଧିତ ଖବର