‘ସେମିଫାଇନାଲ ଫଳାଫଳ କହୁଛି ୨୦୧୯ ଫାଇନାଲରେ ବିଜେପିର ସ୍ଥାନ ନାହିଁ’; ମମତା ବାନାର୍ଜୀ

କୋଲକାତା: ସଦ୍ୟ ସମାପ୍ତ ୫ଟି ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ- ବିଧାନସଭା ନିର୍ବାଚନର ଫଳାଫଳ ଉପରେ ନିଜର ମତ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ଏ ନିର୍ବାଚନ ଥିଲା ୨୦୧୯ରେ ହେବାକୁ ଥିବା ‘ଫାଇନାଲ’ ପୂର୍ବର ‘ସେମିଫାଇନାଲ’। ତେବେ, ‘ସେମିଫାଇନାଲ’ରେ ଯେଉଁ ଫଳାଫଳ ଆସିଛି ସେଥିରୁ ସ୍ପଷ୍ଟ ସଙ୍କେତ ମିଳିଛି ଯେ ‘ଫାଇନାଲ’ରେ ଶାସକ ବିଜେପିର ସତ୍ତା ରହିବ ନାହିଁ। କାରଣ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁବେଳେ ମତଦାତାମାନେ ହିଁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍ଚ୍‌’ ରୂପେ ବିବେଚିତ ହୋଇଥାଆନ୍ତି। ଆଉ ଏଇ ସଙ୍କେତ ସେଇମାନଙ୍କ ଠାରୁ ହିଁ ମିଳିଛି ବୋଲି କହିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା।


ମମତା କହିଛନ୍ତି ଯେ ଜନତାଙ୍କର ଏପ୍ରକାରର ଜନାଦେଶରେ ଦେଶର ଗଣତନ୍ତ୍ରର ବିଜୟ ଘଟିଛି। ଏ ଜନାଦେଶ ହେଉଛି ଏକ ଅହଂକାରୀ ଶାସକର ଅନ୍ୟାୟ, ଅତ୍ୟାଚାର ଓ ପ୍ରତିହିଂସା ପରାୟଣ ଶାସନ ବିରୋଧରେ। ସରକାର ନିଜ କ୍ଷମତାର ଅପବ୍ୟବହାର କରି ଦେଶର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ସ୍ୱାଧୀନତାରେ ହସ୍ତକ୍ଷେପ କରି ସେସବୁକୁ ଯେପରି ନଷ୍ଟ କରୁଥିଲେ ଓ ଦେଶର ଦରିଦ୍ର, ଚାଷୀ, ଯୁବକ, ବେକାର, ଦଳିତ ଓ ସଂଖ୍ୟାଲଘୁମାନଙ୍କ ଉପରେ ଅଘୋଷିତ ଅତ୍ୟାଚାର ଚଳାଇଥିଲେ ତା’ ବିରୋଧରେ ଦେଶର ଜନତା ଜନାଦେଶ ଦେଇଛନ୍ତି। ଏବଂ ପରୋକ୍ଷରେ ଏ ଅହଂକାରୀ ଶାସକକୁ ଚେତାଇ ଦେଇଛନ୍ତି ଯେ ୨୦୧୯ରେ ହେବାକୁ ଥିବା ‘ଫାଇନାଲ’ରେ ଏମାନଙ୍କ ସ୍ଥାନ ନାହିଁ ବୋଲି ଆଜିର ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସମ୍ବନ୍ଧିତ ଖବର