ମହାରାଷ୍ଟ୍ର ସଂକଟ : ଶନିବାର ଜାତୀୟ କାର୍ଯ୍ୟକାରିଣୀ ଡକାଇଲା ଶିବସେନା

ମୁମ୍ବାଇ  :  ଶିବସେନା ଓ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଂକଟ ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆସନ୍ତା କାଲି ଅର୍ଥାତ ଶନିବାରଦିନ ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଅପରାହ୍ଣ ୧ଟା ବେଳେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବିଚାର ବିମର୍ଷ ହୋଇପାରେ । ସେହିପରି ଆହିତ୍ୟ ଠାକରେ ଆସନ୍ତା କାଲି ସଂଧ୍ୟାରେ ବିରଲା ମାତୋଶ୍ରୀ ସଭାଗୃହଠାରେ ଏକ ଜନସଭା କରିବେ ।

ଆଜି ଏନସିପି ପ୍ରମୁଖ ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ରାଜ୍ୟର ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକମାନଙ୍କ ନେତା ଏକନାଥ ସିନ୍ଦେ ଆସନ୍ତା କାଲି ବିଧାନସଭା ଉପବାଚସ୍ପତି ନରହରି ଜିରଓ୍ବାଲଙ୍କୁ ହଟାଇବାକୁ ଏକ ସଂକଳ୍ପ ଆଗତ କରିବେ ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଆଡଭୋକେଟ ଜେନେରାଲ ଆଶୁତୋଷ କୁମ୍ଭକୋନି ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ସଂପର୍କରେ ଆଇନ ଓ ସମ୍ବିଧାନ ବିଶାରଦମାନଙ୍କ ପରାମର୍ଶ ନେବା ଆରମ୍ଭ କରିଛନ୍ତି । ସିନ୍ଦେଙ୍କ ସମେତ ମୋଟ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ପଦ ରଦ୍ଦ ପାଇଁ ଶିବସେନା ଆବେଦନ କରିଛି ।

ଗତ କାଲି ଏନସିପି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଶିବସେନା ପ୍ରତି ଦଳର ସମର୍ଥନ ଜାରି ରହିବ । ବିଧାନସଭାରେ ବି ଶିବସେନା ସପକ୍ଷରେ ଛିଡା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର