ବିଜେପିକୁ ମହମ୍ମଦ ଘୋରୀ ସହ ତୁଳନା କଲା ଶିବସେନା

ମୁମ୍ବାଇ : ପ୍ରାୟ ୩୦ ବର୍ଷ ଧରି ସହଯୋଗୀ ଥିବା ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ବଢିଚାଲିଛି । ବିଜେପିକୁ ଆଜି ମୁସଲିମ ଆକ୍ରମଣକାରୀ ମହମ୍ମଦ ଘୋରୀ ସହିତ ତୁଳନା କରିଛି ଶିବସେନା । ପ୍‌ୃଥ୍ଵୀରାଜ ଚୌହାନ ବାରମ୍ବାର ମହମ୍ମଦ ଘୋରୀକୁ ପରାଜିତ କରି ଛାଡିଦେଉଥିଲେ, କିନ୍ତୁ ଗୋଟିଏ ଥର ଯୁଦ୍ଧରେ ଜିତିବା ପରେ ଘୋରୀ ପ୍‌ୃଥ୍ଵୀରାଜଙ୍କୁ ହତ୍ୟା କରିଥିଲା । ଠିକ ସେହିପରି ଶିବସେନା ବିଗତ ଅନେକ ବର୍ଷ ଧରି ବିଜେପିକୁ ସହଯୋଗ କରିଆସୁଥିଲା, କିନ୍ତୁ ବିଜେପି ତାହାକୁ ବିଶ୍ୱାସଘାତକତା କଲା ବୋଲି ଶିବସେନା ମୁଖପତ୍ର ସାମନାରେ ପ୍ରକାଶିତ ସଂପାଦକୀୟରେ କୁହାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେପିର ଅହଙ୍କାରର ଅନ୍ତ ହେବାର ସମୟ ଆସିଯାଇଛି । ମହାରାଷ୍ଟ୍ରରୁ ଶିବସେନା ହିଁ ବିଜେପିକୁ ନିର୍ମୁଳ କରି ଦେବ । ମହାରାଷ୍ଟ୍ରରେ ଶିବସେନା ଏପରି ବିଶ୍ୱାସଘାତକ ଲୋକମାନଙ୍କୁ ଅନେକ ଥର ଛାଡି ଦେଇଥିଲା, କିନ୍ତୁ ସେମାନେ ସୁଯୋଗ ପାଇବା ପରେ ଶିବସେନା ପଛରେ ଛୁରୀ ମାରିବାକୁ ପଛେଇ ନଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଯଥାକ୍ରମେ ୧୦୫ ଓ ୫୬ ଟି ଆସନ ପାଇଁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପି ସହ ସଂପର୍କ ଛିନ୍ନ କରିଛି । ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଶିବସେନା ଆଶାୟୀ ରହିଛି । କିନ୍ତୁ ଏନସିପି ଓ କଂଗ୍ରେସ ଏପର୍ଯ୍ୟନ୍ତ ଶିବସେନାକୁ ସମର୍ଥନ ଦେବା ସଂପର୍କରେ ଔପଚାରିକଭାବେ କୌଣସି ଘୋଷଣା କରିନାହାନ୍ତି ।

ସମ୍ବନ୍ଧିତ ଖବର