ମୁମ୍ବାଇ : ମହାରାଷ୍ଟ୍ରରେ ଅତି ନାଟକୀୟ ଶୈଳୀରେ ଘଟଣାକ୍ରମ ବଦଳୁଛି । ସକାଳେ ଅଜିତ ପାଓ୍ଵାରଙ୍କ ସହିତ ଯାଇଥିବା ୯ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ସଂଧ୍ୟାରେ ସଂଧ୍ୟାରେ ଶରଦ ପାଓ୍ଵାରଙ୍କ ନିକଟକୁ ଫେରିଆସିଛନ୍ତି ଓ ତାଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକଟ କରିଛନ୍ତି । ଏମାନେ ହେଉଛନ୍ତି ଦିଲ୍ଲୀପ ବାଙ୍କର, ସୁନୀଲ ସେଲକେ, ସୁନୀଲ ଭୁସାରା ଓ ସଂଜୟ ଭାଂସଡେ ।
ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା । ରାଜ୍ୟପାଳଙ୍କ କାର୍ଯ୍ୟକଳାପ ପକ୍ଷପାତପୂର୍ଣ୍ଣ ଓ ସଂଦେହଜନକ ରହୁଛି ବୋଲି ସେମାନେ ନିଦର ରିଟ ପିଟିସନରେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳ ଷଡ଼ଯନ୍ତ୍ର କରୁଛନ୍ତି । ମହାରାଷ୍ଟ୍ରରେ ବିଜେପି ହୀନ ରାଜନୀତି କରୁଛି । ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ।
ସୂଚନାଯୋଗ୍ୟ ଯେ ଆଜି ଅପ୍ରତ୍ୟାଶିତଭାବେ ସକାଳ ୫ଟା ୪୭ ମିନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଓ ଉପମୁଖ୍ୟମନ୍ତ୍ରୀଭାବେ ଅଜିତ ପାଓ୍ଵାର ଶପଥ ଗ୍ରହଣ କରିଥିଲେ ।

Advertisment