ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ଆଜି ବଡ଼ ବିଜୟ ହୋଇଛି। ନିର୍ବାଚନ କମିସନ୍ ଶୁକ୍ରବାର ସିନ୍ଦେ ଗୋଷ୍ଠୀକୁ ବାସ୍ତବ ଶିବସେନାର ମାନ୍ୟତା ଦେଇଛନ୍ତି । ସିନ୍ଦେ ଗୋଷ୍ଠୀ ‘ଶିବସେନା’ ନାମ ଏବଂ ଦଳର ଧନୁ-ତୀର ଚିହ୍ନ ବ୍ୟବହାର କରିବାପାଇଁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋଏଲ ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ଏବଂ ଠାକ୍ରେ ଗୋଷ୍ଠୀ ମଧ୍ୟରୁ ବାସ୍ତବ ଶିବସେନା କିଏ ତାହା ନିର୍ଣ୍ଣୟ କରିବାପାଇଁ ସିନ୍ଦେ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିସନ୍ଙ୍କ ନିକଟରେ ଆବେଦନ ହୋଇଥିଲା। ନିର୍ବାଚନ କମିସନ ଆଜି ଏନେଇ ନିର୍ଦ୍ଦେଶ ଜାରି କରି କହିଛନ୍ତି, ଆବେଦନକାରୀ ଗୋଷ୍ଠୀ ‘ଶିବସେନା’ ଦଳର ନାମ ଏବଂ ଦଳର ‘ଧନୁ ଏବଂ ତୀର’ ଚିହ୍ନ ବ୍ୟବହାର କରିବେ।
ଉଲ୍ଲେଖଯୋଗ୍ୟ, ଏକନାଥ ସିନ୍ଦେ ଶିବସେନାରୁ ଓହରିଯାଇ ବିଜେପି ସମର୍ଥନରେ ସରକାର ଗଠନ କରିବାପରେ ଶିବସେନା ଦଳର ନାମ ଏବଂ ଦଳର ଚିହ୍ନ ପାଇଁ ଦାବି କରିଥିଲେ। ଠାକ୍ରେ ଗୋଷ୍ଠୀ ଏହାକୁ ଜୋରଦାର ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ନିଜକୁ ବାସ୍ତବ ଶିବସେନା ଦାବି କରିଥିଲେ। ତେବେ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନ କମିସନ୍ ଅକ୍ଟୋବର ୨୦୨୨ରେ ଶିବସେନା ଦଳର ନାମ ଏବଂ ଏହାର ଚିହ୍ନକୁ ଅଚଳ କରିଦେଇଥିଲେ। କମିସନ୍ ଉଭୟ ଠାକ୍ରେ ଏବଂ ସିନ୍ଦେ ଗୋଷ୍ଠୀକୁ ପୃଥକ୍ ନାମ ଏବଂ ଚିହ୍ନ ଦେଇଥିଲେ। ଉକ୍ତ ମାମଲାରେ ଗତ ଜାନୁଆରିରେ ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ନିର୍ବାଚନ କମିସନ୍ ଆଜି ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ସିନ୍ଦେ ଗୋଷ୍ଠୀକୁ ପୂର୍ବରୁ ଦେଇଥିବା ‘ବାଲାସାହେବାଞ୍ଚି ଶିବସେନା’ ନାମ ଏବଂ ‘ ଦୁଇଟି ଖଣ୍ଡା ଏବଂ ଢାଲ’ ଚିହ୍ନକୁ ଅଚଳ କରିଦେଇଛନ୍ତି। ଅନ୍ୟପକ୍ଷେ ଉଦ୍ଧବ ଠାକ୍ରେ ଗୋଷ୍ଠୀର ନାମ ‘ଶିବସେନା-ବାଲାସାହେବ ଠାକ୍ରେ’ ଏବଂ ଏହାର ଚିହ୍ନ ମଶାଲ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/654gj654dg6jgjgjdgjdgj.jpg)