ଉଦ୍ଧବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଶିବ ସୈନିକ; ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ‘ମହାଡ୍ରାମା’ର ଯବନିକା ପତନ ଘଟୁନାହିଁ। ବରଂ ସମୟ ଯେତିକି ଗୁଡ଼ୁଛି ସେତିକି ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଏହିକ୍ରମରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମର୍ଥନରେ ସେନାର ସୈନିକମାନେ ଶୁକ୍ରବାର ଅପରାହ୍ନରେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏବଂ ମୁମ୍ବାଇରେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି

ଶିବସେନା ବିଧାୟକ ଦିଲୀପ ଲାଣ୍ଡେଙ୍କ ଯିଏ ବର୍ତ୍ତମାନ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସହ ଗୌହାଟୀରେ ଅଛନ୍ତି ତାଙ୍କ କାର୍ଯ୍ୟାଳୟ ଉପରେ ଶିବ ସୈନିକମାନେ ଆକ୍ରମଣ କରିବା ସହ ତାଙ୍କ ପୋଷ୍ଟରରେ କାଳ ବୋଳି ପକାଇଛନ୍ତି। ସେହିପରି ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀର ଅଂଶ ବିଶେଷ ଦଳର ବିଧାୟକ ମଙ୍ଗେଶ କୁଡାଲକରଙ୍କ କାର୍ଯ୍ୟାଳୟ ବାହାରେ ଥିବା ଏକ ବୋର୍ଡକୁ ଶିବସେନା କର୍ମୀମାନେ ଶୁକ୍ରବାର ଭଙ୍ଗାରୁଜା କରିଛନ୍ତି ବୋଲି ପୁଲିସ କହିଛି। କୁଡାଲକର ସହରର କୁର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ଏକନାଥ ସିନ୍ଦେ ତାଙ୍କର ଅନ୍ୟ ସମର୍ଥକ ବିଧାୟକଙ୍କୁ ଧରି ଗୌହାଟୀରେ ଡେରା ପକାଇଥିବା ବେଳେ ଏପଟେ ସେନା ସୈନିକମାନେ ସେମାନଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି।

ଶିବସେନା ସମର୍ଥକଙ୍କ ଏକ ଗୋଷ୍ଠୀ କୁର୍ଲାର ନେହେରୁନଗର ଅଞ୍ଚଳରେ କୁଡାଲକରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ତାଙ୍କ ନାମ ଏବଂ ଫଟୋ ଥିବା ଏକ ବୋର୍ଡକୁ ଭାଙ୍ଗି ଦେଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେମାନେ ବିଧାୟକଙ୍କ କାର୍ଯ୍ୟାଳୟ ଉପରେ ହିଂସାତ୍ମକ ଆକ୍ରମଣ କରିବା ପୂର୍ବରୁ ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀମାନେ ହସ୍ତକ୍ଷେପ କରିଥିଲେ, ଯାହା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶିବସେନା ଶାଖା ସମେତ ଅନେକ ସ୍ଥାନରେ ମୁମ୍ବାଇ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି। ସିନ୍ଦେଙ୍କ ବିଦ୍ରୋହ ପରେ କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ମହାରାଷ୍ଟ୍ରର ସମସ୍ତ ପୁଲିସ ଷ୍ଟେସନ, ବିଶେଷ କରି ମୁମ୍ବାଇରେ ଥିବା ପୁଲିସ ଷ୍ଟେସନଗୁଡ଼ିକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିବ ସୈନିକମାନେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇବେ ବୋଲି ପୁଲିସ ସୂଚନା ପାଇବା ପରେ ପୁଲିସ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି।

ଶୁକ୍ରବାର ସକାଳେ ଶିବସେନା ସାଂସଦ ସଞ୍ଜୟ ରାଉତ ଗଣମାଧ୍ୟମ ସହ କଥା ହୋଇ କହିଥିଲେ ଯେ ଏକନାଥ ସିନ୍ଦେ କିଛି ଘରୋଇ ସତ୍ୟକୁ ହୃଦୟଙ୍ଗମ କରିବା ଉଚିତ୍‌। ଏକନାଥ ସିନ୍ଦେ ଗୋଷ୍ଠୀ ଯାହା ଆମକୁ ଚ୍ୟାଲେଞ୍ଜ କରୁଛି ତାହା ନିଶ୍ଚିତ ଭାବରେ ହୃଦୟଙ୍ଗମ କରିବ ଯେ ଶିବସେନା କର୍ମୀମାନେ ଏପର୍ଯ୍ୟନ୍ତ ରାସ୍ତା ଉପରକୁ ଓହ୍ଲାଇ ନାହାନ୍ତି। ଏହିପରି ଯୁଦ୍ଧ ଆଇନ ମାଧ୍ୟମରେ କିମ୍ବା ରାସ୍ତାରେ କରାଯାଏ। ଯଦି ଆବଶ୍ୟକ ହୁଏ ତେବେ ଆମର ସୈନକମାନେ ରାସ୍ତାକୁ ଆସିବେ। ଏକନାଥ ସିନ୍ଦେ ଗୋଷ୍ଠୀର ସଂଖ୍ୟା କେବଳ କାଗଜପତ୍ରରେ ଅଛି। ଶିବସେନା ହେଉଛି ଏକ ବଡ ସମୁଦ୍ର। ଏହିପରି ଢ଼େଉ ଆସେ ଏବଂ ଯାଏ ବୋଲି ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର