ଦୁର୍ନୀତିି ରୋକିବା ପାଇଁ ବ୍ୟକ୍ତିଗତ ହ୍ବାଟସଆପ ନମ୍ବର ଜାରି କରିବେ ଭଗୱନ୍ତ ମାନ୍

ଭିଡିଓ କିମ୍ବା ଅଡିଓ ରେକର୍ଡିଂ ପଠାଇ ଦୁର୍ନୀତି ଅଭିଯୋଗ ଆଣିପାରିବେ ଲୋକେ

ଚଣ୍ଡିଗଡ଼: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ଼ ଘୋଷଣା। ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ବ୍ୟକ୍ତିଗତ ହ୍ବାଟସଆପ ନମ୍ବର ଜାରି କଲେ ମୁଖ୍ୟମନ୍ତ୍ରୀ। ଦାୟିତ୍ବ ଗ୍ରହଣ ପ‌ରେ ଆଜି ଟ୍ବିଟ କରି ବଡ଼ ଘୋଷଣା କରିବେ ବୋଲି କହିଥିଲେ ଭଗୱନ୍ତ। ଏବେ ସେ ମାର୍ଚ୍ଚ ୨୩ରେ ଭଗତ ସିଂଙ୍କ ସହିଦ ଦିବସ ଅବସରରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ଘୋଷଣା କରିଛନ୍ତି। ହେଲ୍ପଲାଇନ ନମ୍ବର ଜାରି ପରେ ପଞ୍ଜାବର ଲୋକମାନେ ହ୍ବାଟସଆପ ଜରିଆରେ ଦୁର୍ନୀତି ଅଭିଯୋଗ ଆଣି ପାରିବେ। ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ସେ ସଚ୍ଚୋଟ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧୀ ନୁହଁନ୍ତି। କିନ୍ତୁ ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କୁ ଆଦୌ ସହ୍ୟ କରାଯିବ ନାହିଁ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ ମାନ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୨୩ରେ ଥିବା ସହିଦ ଦିବସରେ ମୁଁ ଏକ ହେଲ୍ପଲାଇନ ନମ୍ବର ଜାରି କରିବି, ଯାହା ମୋର ବ୍ୟକ୍ତିଗତ ହ୍ବାଟସଆପ ନମ୍ବର ହେବ। ପଞ୍ଜାବରେ ଯଦି କେହି ଆପଣଙ୍କୁ ଲାଞ୍ଚ ମାଗନ୍ତି, ତେବେ ମନା କରନ୍ତୁ ନାହିଁ, ଏକ ଭିଡିଓ କିମ୍ବା ଅଡିଓ ରେକର୍ଡିଂ କରନ୍ତୁ ଏବଂ ଏହାକୁ ସେହି ନମ୍ବରକୁ ପଠାନ୍ତୁ। ମୋ କାର୍ଯ୍ୟାଳୟ ଅନୁସନ୍ଧାନ କରିବ ଏବଂ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ।

କିଛି ସମୟ ପୂର୍ବରୁ ଟ୍ବିଟରେ ଭଗୱନ୍ତ ଲେଖିଥିଲେ ଯେ, ପଞ୍ଜାବବାସୀଙ୍କ ହିତ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତିି ନିଆଯିବ। ପଞ୍ଜାବ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଏଭଳି ନିଷ୍ପତ୍ତି ନେଇନଥିବେ। କିଛି ସମୟ ପରେ ଘୋଷଣା କରିବି।

ସମ୍ବନ୍ଧିତ ଖବର