ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କର ଆଜି ଭୋର୍ ୩ଟା ୩୦ରେ ପରଲୋକ ଘଟିଛି। ୭୧ ବର୍ଷୀୟ ପଟେଲ କରୋନାରେ ସଂକ୍ରମିତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କଂଗ୍ରେସର ‘ଚାଣକ୍ୟ’ ଭାବେ ପରିଚିତ ପଟେଲ ଗାନ୍ଧି ପରିବାରର ସବୁଠାରୁ ଘନିଷ୍ଠ ନେତା ଭାବେ ପରିଚିତ ଥିଲେ। ପଟେଲଙ୍କ ପରଲୋକ ସଂପର୍କରେ ତାଙ୍କ ପୁଅ ଫୈଜଲ ପ୍ରଥମେ ଟ୍ବିଟ୍ କରି ସୂଚନା ଦେଇଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ଅହମଦ ପଟେଲ କରୋନା ସଂକ୍ରମିତ ହୋଇଥିଲେ ଏବଂ ଚଳିତ ମାସ ଆରମ୍ଭରୁ ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଅବନତି ଦେଖିବାକୁ ମିଳିଥିଲା ଏବଂ ଗତକାଲି ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ପଟେଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପଟେଲଙ୍କ ତୀକ୍ଷ୍ଣ ବୁଦ୍ଧି ଏବଂ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ପଟେଲଙ୍କ ବିୟୋଗରେ ସେ ଜଣେ ଘନିଷ୍ଠ ସହଯୋଗୀ, ବିଶ୍ବସ୍ତ ସହକର୍ମୀ ଏବଂ ବନ୍ଧୁଙ୍କୁ ହରାଇଲେ। ପଟେଲଙ୍କ ସମଗ୍ର ଜୀବନ ଦଳ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ସୋନିଆ କହିଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ପଟେଲଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି।
ଗୁଜରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ବରରେ ୨୧ ଅଗଷ୍ଟ ୧୯୪୯ରେ ଜନ୍ମ ଗ୍ରହଣ କରିଥିବା ପଟେଲ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ରାଜ୍ୟସଭା ସାଂସଦ ଥିଲେ। ପଟେଲ ତାଙ୍କର ପ୍ରଥମ ନିର୍ବାଚନ ୧୯୭୭ରେ ଭରୁଚରୁ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ୧୯୮୦ ଏବଂ ୧୯୮୪ରେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ପଟେଲ ରାଜ୍ୟସଭା ସାଂସଦ ଥିଲେ ଏବଂ ୨୦୦୧ରୁ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ମଧ୍ୟ ରହିଥିଲେ।
ନୂଆଦିଲ୍ଲୀ: କଂଗ୍ରେସର ସଙ୍କଟମୋଚକ ଅହମଦ ପଟେଲ୍ଙ୍କୁ ଦଳ ଯେଉଁ ସମୟରେ ସବୁଠୁ ଅଧିକ ଆବଶ୍ୟକ କରୁଥିଲା ଠିକ୍ ସେହି ସମୟରେ ହିଁ ପଟେଲ୍ଙ୍କ ପରଲୋକ ହୋଇଯାଇଛି। ପଟେଲ୍ ଏକମାତ୍ର ଅଣଗାନ୍ଧି କଂଗ୍ରେସ ନେତା ଯିଏ କି କ୍ଷମତାରେ ନଥାଇ ବି ଦଳ ପରିଚାଳନା କରୁଥିଲେ ଏବଂ ଦଳର ‘ଚାଣକ୍ୟ’ ଭାବେ ପରିଚିତ ଥିଲେ। ପଟେଲ୍ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଜଣେ ଘନିଷ୍ଠ ରାଜନୈତିକ ପରାମର୍ଶଦାତା ଏବଂ ଦଳର ସବୁଠାରୁ ବଡ଼ ସଙ୍କଟମୋଚକ। ନେହରୁ-ଗାନ୍ଧି ପରିବାରର ଅତି ବିଶ୍ବସ୍ତ ପଟେଲ ଅନେକ ବର୍ଷ ଧରି ସୋନିଆଙ୍କ ରାଜନୈତିକ ସଚିବ ରହିଥିଲେ। ପଟେଲ କେବେ ବି ସେ ସରକାରରେ ଯୋଗ ଦେଇନାହାନ୍ତି। କଂଗ୍ରେସରେ ‘ଏପି’ କହିଲେ ନେତୃତ୍ବର ଆଖି ଏବଂ କାନ ବୋଲି ବୁଝାଯାଏ। ୧୯୯୭ରେ ସୋନିଆ କଂଗ୍ରେସର ମଙ୍ଗ ଧରିଥିବା ବେଳେ ସେ ସମୟରେ ପଟେଲ୍ ତାଙ୍କୁ ବିଭିନ୍ନ ରାଜନୈତିକ ସଙ୍କଟର ସମାଧାନ କରିବାରେ ଏବଂ ନିଷ୍ପତ୍ତି ନେବାରେ ସହଯୋଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ସେ ସଂସଦୀୟ ସଚିବ ଥିଲେ ଏବଂ ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ। ଦଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିଛନ୍ତି । ନିକଟରେ ରାଜସ୍ଥାନରେ ଯେଉଁ ସଙ୍ଗଟ ଦେଖାଦେଇଥିଲା ସେହି ସଙ୍କଟକୁ ମଧ୍ୟ ପଟେଲ୍ ସମାଧାନ କରିଛନ୍ତି। ପଟେଲ୍ ମହାରାଷ୍ଟ୍ରରେ ଏନ୍ସିପି ଏବଂ କଂଗ୍ରେସ ସହ ମେଣ୍ଟ ସରକାର ଗଠନ ପାଇଁ ସୋନିଆଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ।