ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି କଂଗ୍ରେସ। ପୁଣି ଥରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଭାରତ ଜୋଡୋ ଯାତ୍ରା ଦ୍ବାରା ଲୋକମାନଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ବେଳେ ଏଣେ ଗୋଟିଏ ପରେ ଗୋଟିଏ ନେତା କଂଗ୍ରେସ ହାତ ଛାଡ଼ିବାରେ ଲାଗିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପରେ ଏବେ ୪୫ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ନେତା ହର୍ଷ ମହାଜନ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ହିମାଚଳ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀର ସଭାପତି ଥିବା ହର୍ଷ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମହାଜନ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହୋଇ ସେ କହିଛନ୍ତି, ମୁଁ ପ୍ରାୟ ୪୫ବର୍ଷ ଧରି କଂଗ୍ରେସ ସହ ଥିଲି। କଂଗ୍ରେସରେ ରହି ମୁଁ କେବେ କୌଣସି ନିର୍ବାଚନରେ ହାରି ନାହିଁ। ତେବେ ବୀରଭଦ୍ର ସିଂ ଥିବା ପର୍ଯ୍ୟନ୍ତ କଂଗ୍ରେସର ଗୁରୁତ୍ବ ଥିଲା। ଆଜି କଂଗ୍ରେସ ଦିଗହୀନ ହୋଇଛି। ଏବେ ରାଜ୍ୟରେ କଂଗ୍ରେସର ନେତା ନାହାନ୍ତି କି ନୀତି ନାହିଁ।

ସେ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୦୨୧ ମସିହାରେ ବୀରଭଦ୍ର ସିଂଙ୍କ ଦେହାନ୍ତ ହୋଇଥିଲା। ସେ ହିମାଚଳ ପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବରେ ୨୧ ବର୍ଷ ଜନତାଙ୍କ ସେବା କରିଥିଲେ। ବୀରଭଦ୍ର ସିଂଙ୍କ ଦେହାନ୍ତ ପରେ ରାଜ୍ୟରେ କଂଗ୍ରେସର ଅସ୍ତିତ୍ବ ନାହିଁ। ଆଗକୁ ହିମାଚଳରେ କଂଗ୍ରେସ ଜିତିବ ନାହିଁ ଏବଂ ବିଜେପି ପୁଣି କ୍ଷମତାକୁ ଆସିବ। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏକମାତ୍ର ନେତା ଯିଏ ଦେଶକୁ ଆଗକୁ ନେଇପାରିବେ।