ନୂଆଦିଲ୍ଲୀ: ପଶ୍ଚିମବଂଗ ବିଧାନସସଭା ନିର୍ବାଚନ ପୂର୍ବରୁ ଏବେ କଂଗ୍ରେସ-ଆଇଏସ୍ଏଫ୍ ମେଣ୍ଟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଏହି ମେଣ୍ଟକୁ କଂଗ୍ରେସର ଏକ ବଡ଼ ଗୋଷ୍ଠୀ ବିରୋଧ କରିୁଥିବା ବେଳେ ଦଳର ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ବରିଷ୍ଠ ନେତା ଆନନ୍ଦ ଶର୍ମା ପଶ୍ଚିମବଂଗ ନିର୍ବାଚନରେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ୍ (ଆଇଏସ୍ଏଫ୍) ସହ ମେଣ୍ଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆଇଏସ୍ଏଫ୍ ଏବଂ ଏଭଳି ଅନ୍ୟ ଦଳ ସହିତ କଂଗ୍ରେସର ମେଣ୍ଟ ଦଳର ମୂଳ ବିଚାରଧାରା, ଗାନ୍ଧୀବାଦ ଏବଂ ନେହୁରୁବାଦୀ ଧର୍ମନିରପେକ୍ଷତାର ଘୋର ବିରୋଧୀ। ତେବେ ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ମେଣ୍ଟକୁ ଯଥାର୍ଥ ଦର୍ଶାଇ ଶର୍ମାଙ୍କୁ ଜବାବ ଦେଇଛନ୍ତି। ଦଳର ହାଇକମାଣ୍ଡ୍ଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଦଳକୁ ବଦନାମ କରୁଛନ୍ତି ଏବଂ ସେମାନଙ୍କ ଆଚରଣ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି ମଧ୍ୟ କହିବାକୁ ଅଧୀର ପଛାଇ ନାହାନ୍ତି। ଏହି ମାମଲାରେ ଆଜି କଂଗ୍ରେସ ନେତାଙ୍କ ଟ୍ବିଟର୍ ଯୁଦ୍ଧ ଦଳ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି। ଅଧୀର କହିଛନ୍ତି ଯେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ନିଜର ବ୍ୟକ୍ତିଗତ ସ୍ବାର୍ଥ ଛାଡ଼ି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ବନ୍ଦ କରିବା ଉଚିତ। ଦଳର ରାଜ୍ୟ ନେତାମାନେ ଅଧୀରଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରୁଥିବା ବେଳେ ଜି-୨୩ କଂଗ୍ରେସ ନେତାମାନେ ଶର୍ମାଙ୍କୁ ସମର୍ଥନ କରି ଏଭଳି ମେଣ୍ଟ ଦଳର ବିଚାରଧାରା ବିରୋଧୀ ବୋଲି ମତ ରଖିଛନ୍ତି।
ଅନ୍ୟପକ୍ଷରେ ଏହି ମେଣ୍ଟ ନେଇ ବିଜେପି ମଧ୍ୟ କଂଗ୍ରେସକୁ ଘେରିଛି। ଗାନ୍ଧି ପରିବାର ନିଜର ରାଜନୈତିକ ପ୍ରାସଙ୍ଗିକତା ହରାଉଥିବାରୁ ଯେନତେନ ତିଷ୍ଠି ରହିବାକୁ ଏଭଳି ପଦକ୍ଷେପ ନେଇଛି ବୋଲି ବିଜେପି କହିଛି। ପରିସ୍ଥିତି ଜଟିଳ ହେଉଥିବାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ପ୍ରିୟଙ୍କା ମେଣ୍ଟକୁ ସମର୍ଥନ କରି କହିଛନ୍ତି ଯେ ବିଚାରଧାରାରେ ଭିନ୍ନତା ରହିଥିଲେ ମଧ୍ୟ ଏକ ବଡ଼ ଲଢ଼େଇ ପାଇଁ ଏଭଳି ମେଣ୍ଟ ଜରୁରୀ ହୋଇପଡ଼ିଛି। ଏହି ମାମଲାରେ ଦଳ ଏକଜୁଟ୍ ରହିବାକୁ ହେବ ବୋଲି ପ୍ରିୟଙ୍କା କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ଓ ବାମଦଳ ସହ ମେଣ୍ଟରେ ସାମିଲ ହୋଇଥିବା ଆଇଏସ୍ଏଫ୍ ପ୍ରାୟ ୩୦ ଆସନରେ ନିର୍ବାଚନ ଲଢ଼ିବ। ଏହି ସଂଗଠନର ମୁଖ୍ୟ ଅବ୍ବାସ ସିଦ୍ଦିକି ଫୁରଫୁରା ସରିଫ୍ ଦରଘାର ପିର୍ଜାଦା ଅଛନ୍ତି ଏବଂ ମୁସ୍ଲିମ୍ ଭୋଟର୍ଙ୍କ ଉପରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଅନେକ ସମୟରେ ସିଦ୍ଦିକଙ୍କ ବିବାଦୀୟ ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନ ଯୋଗୁଁ ସମସ୍ୟା ମଧ୍ୟ ଉପଜୁଛି। ମହିଳା ବିରୋଧୀ ବୟାନ ପାଇଁ ମଧ୍ୟ ସେ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି। ଜଣେ କଠୋରପନ୍ଥୀ ନେତାଭାବେ ପରିଚିତ ସିଦ୍ଦିକ ଆଗକୁ କଂଗ୍ରେସର ଅଡ଼ୁଆ ମଧ୍ୟ ବଢ଼ାଇବେ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ଅଧୀର ରଂଜନ ଖଣ୍ଡନ କରିଛନ୍ତି।
/sambad/media/post_attachments/wp-content/uploads/2020/08/gulam-nabi-300x169.jpg)
ଗୁଲାମନବୀଙ୍କ କୁଶପୁତ୍ତଳିକା ଦାହକଲେ କଂଗ୍ରେସ ନେତା
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିବାରୁ ଜମ୍ମୁ କାଶ୍ମୀରରେ କେତେକ କଂଗ୍ରେସ ନେତା ଓ ତାଙ୍କ ସମର୍ଥକମାନେ ଏହାର ଘୋର ବିରୋଧ କରିଛନ୍ତି ଏବଂ ଗୁଲାମନବୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ବିଜେପି ସହ ଗୁଲାମନବୀ ସମ୍ପର୍କରେ ଅଛନ୍ତି ବୋଲି ଜମ୍ମୁ କାଶ୍ମୀରରେ କଂଗ୍ରେସ ସାଧାରଣ ସଂପାଦକ ଶାହନୱାଜ୍ ଚୌଧୁରି ଅଭିଯୋଗ କରିଛନ୍ତି। ଆଜାଦ ଗତବର୍ଷ ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ ପାଇଁ ଆସିନଥିଲେ କିନ୍ତୁ ଏବେ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇବା ପଛରେ ରହସ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଆଜାଦଙ୍କ ବିରୋଧରେ ଆନ୍ଦୋଳନ କରି ତାଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷେ ଗୁଲାମନବୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ନେଇ ତାଙ୍କ ବକ୍ତବ୍ୟର ଭୁଲ୍ ଅର୍ଥ ବାହାର କରାଯାଇଛି ।