ଦିଲ୍ଲୀରେ ବରିଷ୍ଠ ଡାକ୍ତରଙ୍କ କ‌ରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବରିଷ୍ଠ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ଏଲ୍‌ଏନ୍‌ଜେପି (ଲୋକ ନାୟକ ଜୟ ପ୍ରକାଶ) ହସ୍ପିଟାଲ୍‌ରେ ଜଣେ ପ୍ରମୁଖ ନିଶ୍ଚେତକ ବିଶେଷଜ୍ଞ ଭାବେ କାମ କରୁଥିଲେ ଡାକ୍ତର ଅସୀମ ଗୁପ୍ତା। ଡ୍ୟୁଟିରେ ଥିବା ସମୟରେ ସେ ଗତ ଜୁନ୍‌ ୬ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ଜୁନ୍‌ ୭ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ସେହି ହସ୍ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଗଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଜୁନ୍‌ ୮ରେ ମ୍ୟାକ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ଗତ ଶନିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା ଏବଂ ଏହାର କିଛି ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଡାକ୍ତର ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି। ଡାକ୍ତର ଗୁପ୍ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ଗତ କିଛିଦିନ ପୂର୍ବେ ସେ ସୁସ୍ଥ ହୋଇଛନ୍ତି। ଗରିବମାନଙ୍କୁ ସେବା ଯୋଗାଇବା ଗୁପ୍ତା ଦମ୍ପତିଙ୍କର ଏକ ବିଶେଷ ଗୁଣ ଥିଲା। ଗତ ୩ ମାସ ଧରି ସେ ଅନେକ ରୋଗୀଙ୍କୁ ଚିକିତ୍ସା କରିଛନ୍ତି।

ସମ୍ବନ୍ଧିତ ଖବର