କାଶ୍ମୀରରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା

ଶ୍ରୀନଗର : କାଶ୍ମୀରର ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ ସମ୍ବାଦପତ୍ରର ମୁଖ୍ୟ ସଂପାଦକ ସୁଜାତ ବୁଖାରୀ ଆଜି କେତେକ ଅଜଣା ଆତତାୟୀଙ୍କ ଗୁଳିମାଡରେ ମୃତ୍ୟୁବରଣ କରିଛନ୍ତି । ଆଜି ସଂଧ୍ୟାରେ ସେ ନିଜ ଅଫିସରୁ ବାହାରୁ ଥିବାବେଳେ ଆତତାୟୀମାନେ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିଲେ । ତାଙ୍କ ମୁଣ୍ଡରେ ଓ ପେଟରେ ଗୁଳି ବାଜିଥିଲା । ଏହି ଆକ୍ରମଣ ସମୟରେ ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଦୁଇଜଣ ସ୍ୱତନ୍ତ୍ର ପୁଲିସ ସୁରକ୍ଷାକର୍ମୀ ଥିଲେ ମଧ୍ୟ ତାଙ୍କୁ ବଞ୍ଚାଇପାରିନଥିଲେ । ତାଙ୍କର ହତ୍ୟାକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ନିନ୍ଦା କରିବା ସହ ଇଦ୍‌ ପରି ପବିତ୍ର ଦିନ ପୂର୍ବରୁ ଆତଙ୍କବାଦୀମାନେ ତାଙ୍କର ଘୁଣ୍ୟ କାମ କରିଛନ୍ତି ବୋଲି କହିଛନ୍ତି । ସେ ବୁଖାରୀଙ୍କ ଶୋକଗ୍ରସ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ନିଜର ଖବରକାଗଜରେ ଅନେକ ସମୟରେ ସେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ସମାଲୋଚନା କରୁଥିଲେ । ଏହି କାରଣରୁ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର