ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରିଛନ୍ତି। ଏଥିରେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମୋତିଲାଲ ଭୋରା, ଗୁଲାମନବୀ ଆଜାଦ, ମଲ୍ଲିକାର୍ଜୁନ ଖଡ଼ଗେ, ଏ କେ ଆଣ୍ଟୋନି, ଅହମ୍ମଦ ପଟେଲ ଓ ଅମ୍ବିକା ସୋନୀଙ୍କୁ ସାମିଲ କରାଯାଇଛି। ସେହିଭଳି ଅଶୋକ ଗେହଲଟ୍, ଓମେନ୍ ଚାଣ୍ଡି, ତରୁଣ ଗୋଗୋଇ, ସିଦ୍ଦରମୈୟା ଓ ହରିଶ ରାଓ୍ଵତ୍ଙ୍କ ଭଳି ସମସ୍ତ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବି ରାହୁଲ ସିଡବ୍ଲ୍ୟୁସିରେ ସାମିଲ କରିଛନ୍ତି। ନୂଆ କମିଟିରେ ମୋଟ ୨୩ ଜଣ ସଭ୍ୟ ଥିବା ବେଳେ ୧୯ ଜଣ ସ୍ଥାୟୀ ଆମନ୍ତ୍ରିତ ସଭ୍ୟ ଓ ୯ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଭ୍ୟ ରହିଛନ୍ତି। ଏମାନଙ୍କୁ ନେଇ ଦଳ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣକୌଶଳ ତିଆରି କରିବ ବୋଲି କୁହାଯାଉଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଗୁରୁତ୍ୱପୂର୍ଣ୍ଣ କମିଟିରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି। ଏହି ନେତାଙ୍କ ମଧ୍ୟରେ ଦିଗ୍ବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲ ନାଥ, ସୁଶୀଲ କୁମାର ସିନ୍ଦେ, ମୋହନ ପ୍ରକାଶ ଓ ସି ପି ଯୋଶୀ ପ୍ରମୁଖ ରହିଛନ୍ତି। କମିଟିରେ ନୂଆ ମୁହଁ ଭାବେ ମୁକୁଲ ଓ୍ଵାସ୍ନିକ୍, ଅବିନାଶ ପାଣ୍ଡେ, କେ ସି ବେଣୁଗୋପାଳ, ଦୀପକ ବାବାରୈୟା, ତାମ୍ରଧ୍ୱଜ ସାହୁ, ଗାଇଖଙ୍ଗମ୍ ଓ ଅଶୋକ ଗେହଲଟ୍ ସ୍ଥାନ ପାଇଛନ୍ତି। ସ୍ଥାୟୀ ଆମନ୍ତ୍ରିତ ସଭ୍ୟ ଭାବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, ପି ଚିଦମ୍ବରମ୍, ଜ୍ୟୋତିରାଦିତ୍ୟ ସିନ୍ଦିଆ, ରଣଦୀପ ସୁର୍ଜେଓ୍ଵାଲା, ରାମଚନ୍ଦ୍ର ଖୁଣ୍ଟିଆ, ବାଲାସାହେବ ଥୋରାଟ୍, ତାରିକ୍ ହମିଦ୍ କାରା ଓ ପି ସି ଚାକୋଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଭ୍ୟ ଭାବେ ସିଡବ୍ଲ୍ୟୁସିରେ କେ ଏଚ୍ ମୁନିୟାପ୍ପା, ଅରୁଣ ଯାଦବ, ଦୀପେନ୍ଦର ହୁଦା, ଜିତିନ୍ ପ୍ରସାଦ ଓ କୁଲ୍ଦୀପ ବିଶ୍ନୋଇଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୨ ତାରିଖରେ ଏହି ସମ୍ପ୍ରସାରିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp