ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ତଥା ବିଶ୍ୱହିନ୍ଦୁ ପରିଷଦର ପ୍ରାକ୍ତନ ସଭାପତି ବିଷ୍ଣୁ ହରି ଡାଲମିଆଙ୍କର ପରଲୋକ

ନୂଆଦିଲ୍ଲୀ: ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ତଥା ପ୍ରାକ୍ତନ ସଭାପତି ବିଷ୍ଣୁ ହରି ଡାଲମିଆଙ୍କର ଆଜି (ବୁଧବାର) ପୂର୍ବାହ୍ଣରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ସ୍ୱର୍ଗତ ବିଷ୍ଣୁ ହରି ଡାଲମିଆ ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ରହିବା ସହ ରାମ ଜନ୍ମଭୂମି ନ୍ୟାସର ଜଣେ ଟ୍ରଷ୍ଟି ମଧ୍ୟ ଥିଲେ। ଏଥିସହ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳରେ ମଧ୍ୟ ସେ ଜଣେ ସକ୍ରିୟ ସଦସ୍ୟ ରହିଥିଲେ। ଏସବୁର ଉର୍ଦ୍ଧ୍ୱରେ ସେ ଥିଲେ ଜଣେ ବିଶିଷ୍ଟ ଶିଳ୍ପପତି। ଡାଲମିଆ ଭାରତ ଗ୍ରୁପ୍‌ କମ୍ପାନିର ଅଧ୍ୟକ୍ଷ ଥିଲେ ବିଷ୍ଣୁ ହରି ଡାଲମିଆ।

ଗତ କିଛି ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ବିଷ୍ଣୁହରି ଡାଲମିଆ। ନିକଟରେ ଦିଲ୍ଲୀର ଆପୋଲ ହସ୍ପିଟାଲରେ କିଛିଦିନ ପାଇଁ ଚିକିତ୍ସିତ ହେବା ପରେ ଗତ ଜାନୁଆରି ୧୩ ତାରିଖରେ ସେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ଗଲଫ୍‌ ଲିଙ୍କ୍‌ ହାଉସ ବାସ ଭବନକୁ ଫେରି ଆସିଥିଲେ। ନିଜ ବାସଭବନରେ ଥିବାବେଳେ ଆଜି ସକାଳ ୯ଟା ୩୮ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ବିଷ୍ଣୁ ହରି ଡାଲମିଆଙ୍କ ବିୟୋଗରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି। ବିଷ୍ଣୁ ହରି ଡାଲମିଆଙ୍କ ଶେଷକୃତ୍ୟ ଆଜି ଅପରାହ୍ଣରେ ଦିଲ୍ଲୀର ନିଗମବୋଧ ଘାଟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର