ସେନ୍‌ସେକ୍ସ ୩୯୩୫ ପଏଣ୍ଟ୍‌ ଖସିଲା, ନିବେଶକ ହରାଇଲେ ୧୪ ଲକ୍ଷ କୋଟି

ମୁମ୍ବାଇ : କରୋନା ଝଡ଼ରେ ବମ୍ବେ ଷ୍ଟକ ବଜାର ଦୋହଲିଯାଇଛି। ସେନ୍‌ସେକ୍ସର ୧୦୦ରୁ ଅଧିକ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ପ୍ରାୟ ୪୦୦୦ ପଏଣ୍ଟ୍‌ର ହ୍ରାସ ଘଟିଛି। ଏଥି ସହିତ କିଛି ଘଣ୍ଟା ଭିତରେ ନିବେଶକମାନେ ୧୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜି ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୩୯୩୫ ପଏଣ୍ଟ୍‌ ହ୍ରାସ ପାଇ .୨୫,୯୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟିରେ ୧୧୩୫ ପଏଣ୍ଟ୍‌ ହ୍ରାସ ଘଟିଛି ଓ ତାହା ୭୬୧୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

କରୋନା ମୁକାବିଲା ଦୃଷ୍ଟିରେ ଦେଶର ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ନିବେଶକମାନଙ୍କ ମନୋବଳ ଦୁର୍ବଳ ହୋଇପଡ଼ିଛି। ଆଜି ସବୁ ପ୍ରକାର ସେୟାର ବିକ୍ରି ହୋଇଥିଲା। ଆର୍ଥିକ କଂପାନିଗୁଡ଼ିକର ସେୟାର ଅଧିକ ମାତ୍ରାରେ ବିକ୍ରି କରାଯାଉଥିଲା। ବମ୍ବେ ଷ୍ଟକ ବଜାରରେ କାରବାର ଆରମ୍ଭ ହେବାର କିଛି ଘଣ୍ଟା ଭିତରେ ସେନ୍‌ସେକ୍ସରେ ୨୭୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ଘଟିଥିଲା। ନିୟମ ଅନୁସାରେ ସେନ୍‌ସେକ୍ସରେ ୧୦% ହ୍ରାସ ଘଟିଲେ କାରବାରକୁ ବନ୍ଦ କରିଦିଆଯାଏ। ସେହି ନିୟମକୁ ପାଳନ କରି ୪୫ ମିନିଟ୍ ପର୍ଯ୍ୟନ୍ତ କାରବାର ବନ୍ଦ କରାଯାଇଥିଲା। ଏହା ପରେ ଷ୍ଟକ୍‌ ବଜାର ଖୋଲିଥିଲେ ମଧ୍ୟ ସ୍ଥିତିରେ ସୁଧାର ହେବା ପରିବର୍ତ୍ତେ ତାହା ଆହୁରି ବିଗିଡ଼ିଥିଲା। ବିଗତ ୧୦ ଦିନ ଭିତରେ ବମ୍ବେ ଷ୍ଟକ ବଜାରରେ ଦ୍ବିତୀୟ ଥର ଲାଗି କାରବାର ବନ୍ଦ କରାଯାଇଛି। ଏହା ପୂର୍ବରୁ ୨୦୦୯ ମେ’ରେ ଶେଷ ଥର ଲାଗି ଷ୍ଟକ ବଜାର କାରବାର ବନ୍ଦ କରିବାକୁ ପଡ଼ିଥିଲା।

ଚଳିତ ମାସରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଯେଉଁଭଳି ହ୍ରାସ ଘଟୁଛି ତାହା ନିବେଶକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ଜାନୁଆରି ୨୦ରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ୍‌ରୁ ଉପର ସ୍ତରରେ ଥିଲା। ଆଜି ତାହା ୨୬ ହଜାର ପଏଣ୍ଟ୍‌ ତଳକୁ ଖସିଆସିଛି। ଅର୍ଥାତ ବିଗତ ୨୩ ଦିନ ଭିତରେ ସେନ୍‌ସେକ୍ସ ୧୬ ହଜାର ପଏଣ୍ଟ୍‌ରୁ ଅଧିକ ହରାଇସାରିଲାଣି। ଚଳିତ ମାସରେ ନିବେଶକମା‌ନେ ପ୍ରତି ଦିନ ହାରାହାରି ଭାବେ ୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ସମ୍ବନ୍ଧିତ ଖବର