ମୁମ୍ବାଇ: ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ଏହାର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ ଘଟୁଛି । ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେୟାର ବଜାରରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ କରାଯାଇଛି।
ନିଫ୍ଟି-୫୦ ଏବଂ ସେନସେକ୍ସ ଗତ ବର୍ଷ ସେପ୍ଟେମ୍ବର ମାସରେ ଥିବା ନିଜ ନିଜର ସର୍ବୋଚ୍ଚ ସ୍ତରରୁ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ହ୍ରାସ ପାଇସାରିଲେଣି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ଲାଲ ରଙ୍ଗରେ ଥିଲା, ଅର୍ଥାତ ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ୨୨,୧୨୨ରେ ବନ୍ଦ ହୋଇଛି। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି ସବୁଜ ରଙ୍ଗରେ (ବୃଦ୍ଧି) କାରବାର କରୁଥିବା ବେଳେ ୪୫ଟି ଷ୍ଟକ ଲାଲ ରଙ୍ଗରେ(ହ୍ରାସ) କାରବାର କରୁଥିଲା।
ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।