ଏସ୍‌ସିଓ ସମ୍ମିଳନୀ: ମୋଦି-ଜିନ୍‌ପିଙ୍ଗ ଆଲୋଚନା, ୪ ବର୍ଷରେ ୧୪ଥର ସାକ୍ଷାତ

ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚୀନ୍‌ର କିଙ୍ଗ୍‌ଦାଓ ସହରରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ। ସାଂଘାଇ ସହଯୋଗ ସଂଗଠନର ଆନୁଷ୍ଠାନିକ ବୈଠକ ପୂର୍ବରୁ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହି ସ୍ୱତନ୍ତ୍ର ବୈଠକ ପାଇଁ ଅଧିକାରୀସ୍ତରରେ ତତ୍ପରତା ଦେଖିବାକୁ ମିଳିଥିଲା। ବିଗତ ୪ ବର୍ଷ ମଧ୍ୟରେ ମୋଦି-ଜିଙ୍ଗ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହା ୧୪ତମ ସାକ୍ଷାତ ବୋଲି ଜଣାପଡ଼ିଛି। ଭାରତ ଓ ଚୀନ୍‌ ମଧ୍ୟରେ ସୁଦୃଢ଼ ଏବଂ ସ୍ଥିର ସଂପର୍କ ରହିଲେ ଏହା ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ପ୍ରେରଣା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ତାଙ୍କର ବୁହାନ ଗସ୍ତକୁ ସ୍ମରଣ କରି ଚୀନ୍‌ ସହ ସୁଦୃଢ଼ ଦ୍ୱିପାକ୍ଷିକ ସଂପର୍କ ସ୍ଥାପନ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବ୍ରହ୍ମପୁତ୍ର ନଦୀର ଜଳତଥ୍ୟ ଭାରତକୁ ପୂର୍ବଭଳି ପ୍ରଦାନ କରିବାକୁ ଚୀନ୍‌ ରାଜି ହୋଇଥିବା ବେଳେ ଭାରତରୁ ବାସମତି ଚାଉଳକୁ ବାଦଦେଇ ବିଭିନ୍ନ କିସମର ଚାଉଳ ଚୀନ୍‌କୁ ରପ୍ତାନି କରିବାକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ବୁହାନ ସମ୍ମିଳନୀର ୬ ସପ୍ତାହ ପରେ ଉଭୟ ନେତା ପୁଣି ଏକାଠି ହୋଇଥିବାରୁ ଦ୍ୱିପାକ୍ଷିକ ସଂପର୍କରେ ଯଥେଷ୍ଟ ସୁଧାର ହେବ ଏବଂ ବିଶ୍ୱାସ ସୃଷ୍ଟିକାରୀ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।

ଚାଉଳ ରପ୍ତାନି ହେବ, ବ୍ରହ୍ମପୁତ୍ର ଜଳ ତଥ୍ୟ ମିଳିବ

ଭାରତ ଓ ଚୀନ୍‌ ମଧ୍ୟରେ ଆଗକୁ ଦ୍ୱପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇବ ଏବଂ ଅନ୍ତର୍ଜାତୀୟ ବଜାର ସହିତ ତାଳମେଳ ରଖି ଉଭୟ ରାଷ୍ଟ୍ର କାର୍ଯ୍ୟ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ବାଣିଜ୍ୟ ଏବଂ ପୁଂଜିନିବେଶ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସହମତି ଭିତ୍ତିରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଏସ୍‌୍‌ସିଓର ଅନ୍ୟ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିସ୍ତରୀୟ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୋଦି ଉଜ୍‌୍‌ବେକିସ୍ତାନର ରାଷ୍ଟ୍ରପତିଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ। ୨୦୦୧ରେ ସ୍ଥାପନ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରେ ଆଞ୍ଚଳିକ ସୁରକ୍ଷା ଓ ସୁଦୃଢ଼ ଅର୍ଥନୀତିକୁ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଏସିଆରେ ଆମେରିକାର ପ୍ରଭାବ ବିସ୍ତାରକୁ ରୋକିବା ଏବଂ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଉଦ୍ୟମକୁ ମଧ୍ୟ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏସ୍‌୍‌ସିଓର ସଦସ୍ୟ ରାଷ୍ଟ୍ରମାନେ ହେଲେ ଚୀନ୍‌, କଜାକିସ୍ତାନ, କିର୍ଗିସ୍ତାନ, ରୁଷ୍‌, ତାଜିକସ୍ତାନ, ଉଜବେକିସ୍ତାନ, ଭାରତ ଏବଂ ପାକିସ୍ତାନ।

ସମ୍ବନ୍ଧିତ ଖବର