ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଚଳିତ ସପ୍ତାହରେ ଭାରତ ଆସିପାରନ୍ତି ଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଋଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି | ସର୍ଗଇଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି | କାରଣ ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଭାରତ ସହ ସମ୍ପର୍କ ମଜଭୁତ ସହ ବ୍ୟବସାୟ ବଢାଇବାକୁ ସେ ଭାରତ ସରକାରଙ୍କ ସହ ଆଲୋଚନା କରିପାରନ୍ତି | ମିଳିଥିବା ସୂଚନା ମୁତାବକ ସର୍ଗଇ ମୁଖ୍ୟତଃ ଋଷରୁ କିଭଳି ଭାରତ ଅଧିକ ଅଶୋଧିତ ତୈଳ କିଣିପାରିବ ଏବଂ ସାମରିକ ଉପକରଣ କିଣିବା ପାଇଁ ଟଙ୍କାରେ ବିନିମୟ ହୋଇପାରିବ ସେନେଇ ମୁଖ୍ୟତଃ ଆଲୋଚନା କରିପାରନ୍ତି |

ଫେବୃଆରୀ ୨୪ ରେ ଋଷ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏହା ପ୍ରଥମ ଋଷୀୟ ଅଧିକାରୀଙ୍କ ଗସ୍ତ ହେବ | ସୂଚନା ମୁତାବକ ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଋଷ ନିଜର ମିତ୍ର ଦେଶ ଭାରତ ସହ ସମ୍ପର୍କ କରିବାକୁ ଇଚ୍ଛା କରୁଛି |

ଭାରତ ରୁପି-ରୁବେଲରେ ଏହି ଜିନିଷଗୁଡ଼ିକର ମୂଲ୍ୟାୟନ କରିବାକୁ ଚାଁହୁଛି । ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ କରିଥାଏ। ଏଥିମଧ୍ୟରୁ ମାତ୍ର ୨ ରୁ ୩ ପ୍ରତିଶତ ଋଷରୁ କିଣାଯାଇଥାଏ । ତେଣୁ ଭାରତ ସରକାର ଋଷରୁ କିଭଳି ଅଧିକ ତେଲ କିଣିପାରିବେ ସେନେଇ ଋଷର ବୈଦେଶିକ ମନ୍ତ୍ରୀ ଆଲୋଚନା କରିପାରନ୍ତି |

ସମ୍ବନ୍ଧିତ ଖବର