ଭୋପାଳରେ ଧରାପଡ଼ିଲା ସିରିଏଲ କିଲର, ୫ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିଲା

ପରବର୍ତ୍ତୀ ଟାର୍ଗେଟ ଥିଲା ପୁଲିସ, ‘କେଜିଏଫ୍‌’ ସିନେମାରେ ଅନୁପ୍ରାଣିତ ହୋଇ ଅପରାଧ ଘଟାଉଥିଲା

ଭୋପାଳ : ମଧ୍ୟପ୍ରଦେଶରେ ୫ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବା ଅଭିଯୁକ୍ତ ଶେଷରେ ପୁଲିସ ହାତରେ ଧରାପଡ଼ିଛି। ସୁରକ୍ଷା କର୍ମୀମାନଙ୍କୁ ବିଭତ୍ସଭାବେ ହତ୍ୟା କରୁଥିବା ଏହି ଅଭିଯୁକ୍ତର ନାମ ଶିବ ପ୍ରସାଦ ହୋଇଥିବାବେଳେ ବୟସ ୧୯। ଏତେଗୁଡ଼ିଏ ହତ୍ୟା ଖବର ସମାନ ଢଙ୍ଗରେ ହେବା ଖବର ଆସିବା ପରେ ଏହା କୌଣସି ଷ୍ଟୋନମ୍ୟାନ କିମ୍ବା ସିରିଏଲ କିଲରର କାର୍ଯ୍ୟ ବୋଲି ସନ୍ଦେହ କରାଯାଇଥିଲା। ଅଭିଯୁକ୍ତ ଶିବର ଗୋଟିଏ ଲକ୍ଷ୍ୟ ଥିଲା ନିଜର ନାଁ କରିବା। ବ୍ଲକବଷ୍ଟର କନ୍ନଡ଼ ସିନେମା କେଜିଏଫ୍‌ ଦ୍ବାରା ଅନୁପ୍ରାଣିତ ହୋଇ ସେ ଏଭଳି କାଣ୍ଡ କରିଥିବା ସ୍ବୀକାର କରିଛି।

ଶୁକ୍ରବାର ସକାଳେ ଭୋପାଳରେ ପୁଲିସ ତାକୁ ଗିରଫ କରିଛି। ‌ଗୁରୁବାର ରାତିରେ ଏକ ମାର୍ବଲ ଦୋକାନର ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା ପରେ ସେ ସଂପୃକ୍ତ ବ୍ୟକ୍ତିଙ୍କର ମୋବାଇଲ ଫୋନ୍ ଚୋରି କରିଥିଲା। ପୁଲିସ ସେହି ମୋବାଇଲ ଫୋନକୁ ଟ୍ରାକ କରିବାକୁ ଯାଇ ଅଭିଯୁକ୍ତ ଶିବକୁ ଧରିବାରେ ସଫଳ ହୋଇଛି। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟେଜ୍‌ରୁ ଜଣାଯାଇଛି, ଅଭିଯୁକ୍ତ ସର୍ଟସ ସହିତ ସାର୍ଟ ପିନ୍ଧି ସୁରକ୍ଷାକର୍ମୀଙ୍କୁ ମାର୍ବଲ ରଡ୍‌ରେ ପିଟିବା ସହିତ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ସିକ୍ୟୁରିଟି ଗାର୍ଡଙ୍କୁ ସେ ଗଭୀର ରାତିରେ ହିଁ ଆକ୍ରମଣ କରୁଥିଲା। ସିକ୍ୟୁରିଟି ଗାର୍ଡ ପରେ ସେ ପୁଲିସକୁ ହତ୍ୟା ପାଇଁ ଟାର୍ଗେଟ କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। କନ୍ନଡ ସିନେମା କେଜିଏଫ୍‌କୁ ଦେଖି ସେ ଏଭଳି କାଣ୍ଡ କରୁଥିଲା ବୋଲି ପୁଲିସ ଅଫିସର ତରୁଣ ନାୟକ କହିଛନ୍ତି। ସାଗରରେ ୩ ରାତିରେ ୩ ଜଣ ସିକ୍ୟୁରିଟି ଗାର୍ଡକୁ ଏବଂ ଗତରାତିରେ ଭୋପାଳରେ ଜଣକୁ ହତ୍ୟା କରିଥିଲା। ‌ତାହାର ଗୋଟିଏ ଲକ୍ଷ୍ୟ ଥିଲା ନିଜେ ‌କିଭଳି ନାଁ କମାଇବ। ସେଥିପାଇଁ ସେ ଶୋଇଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ହିଁ କେବଳ ଟାର୍ଗେଟ କରୁଥିଲା। ଏହି ହତ୍ୟା ଲୋକଙ୍କ ମନରେ ଷ୍ଟୋନମ୍ୟାନର ଭୟ ସୃଷ୍ଟି କରିଥିଲା। ମେ’ ମାସରେ ଏକ ଓଭରବ୍ରିଜ୍ ନିର୍ମାଣ ସ୍ଥଳରେ ଜଣେ ୱାଚମ୍ୟାନଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଛେଚା ଯାଇଥିବା ମୁହଁ ଉପରେ ଚପଲ ରଖାଯାଇଥିଲା। କିନ୍ତୁ କାହାରିଠାରୁ କିଛି ଚୋରି ହୋଇ ନଥିଲା।

ଗତରାତିରେ ସେ ୨୩ ବର୍ଷୀୟ ସୋନୁ ବର୍ମାକୁ ହତ୍ୟା କରିଥିଲା। ମାର୍ବଲ ରଡ୍‌ରେ ପିଟି ସେ ସୋନୁଙ୍କୁ ମାରିଛି। ଏକ ମାର୍ବଲ ଦୋକାନରେ ସୋନୁ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଭୋପାଳଠାରୁ ୧୬୯ କିମି ଦୂର ସାଗରରୁ ଶିବର ଆପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଅଗଷ୍ଟ ୨୮ରେ ଏକ କାରଖାନାରେ ଗାର୍ଡ ଭାବେ କାର୍ଯ୍ୟ କରୁଥିବା କଲ୍ୟାଣ ଲୋଧିଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। କଲ୍ୟାଣଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଥିଲା। ତା’ ପରଦିନ ରାତିରେ ଏକ କଲେଜରେ ସୁରକ୍ଷା କର୍ମୀଭାବେ କାର୍ଯ୍ୟରତ ୬୦ ବର୍ଷୀୟ ଶମ୍ଭୁ ନାରାୟଣ ଦୁବେଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ତା ପରଦିନ ଗୋଟିଏ ଘରେ ୱାଚମ୍ୟାନ ଭାବେ କାର୍ଯ୍ୟରତ ମଙ୍ଗଳ ଅହିରୱାରଙ୍କୁ ହତ୍ୟା କରାଯାଇଥିଲା। ଏସବୁ ହତ୍ୟା ପରେ ସହରରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ଏବଂ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦେଇଥିଲା।

ସମ୍ବନ୍ଧିତ ଖବର