ପୁଣେ : ସାଇବର ଅପରାଧ ଦିନକୁ ଦିନ ଏକ ବଡ଼ ବିପଦ ଭାବେ ଦେଖାଗଲାଣି । ସାଇବର ଅପରାଧୀମାନେ ବଡ଼ ବଡ଼ ଅପରାଧ କରିବାକୁ ମଧ୍ୟ ପଛଉ ନାହାନ୍ତି । ଏପରିକି ବଡ଼ କମ୍ପାନିମାନଙ୍କୁ ମଧ୍ୟ ଚୂନ ଲଗାଇବାରେ ସଫଳ ହେଉଛନ୍ତି ।

Advertisment

ଏପରି ଏକ ସାଇବର ଅପରାଧର ଶିକାର ହୋଇଛି ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ କମ୍ପାନି ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ସାଇବର ଅପରାଧୀମାନେ କମ୍ପାନିର ସିଇଓ ଅଦାର ପୁନାଓ୍ବାଲାଙ୍କ ହ୍ବାଟ୍ସଆପ ଆକାଉଣ୍ଟକୁ ହ୍ୟାକ କରିବାରେ ସଫଳ ହୋଇଛନ୍ତି । ଏହା ପରେ ସେମାନେ ତାଙ୍କ ହ୍ବାଟ୍ସଆପ ନମ୍ବରରୁ ସେରମ ଇନଷ୍ଟିଚ୍ୟୁଟର ଜଣେ ନିର୍ଦ୍ଦେଶକ ସତୀଶ ଦେଶପାଣ୍ଡେଙ୍କୁ କେତେକ ଆକାଉଣ୍ଟରେ ୧ କୋଟି ଟଙ୍କା ଜମା କରିବାକୁ ମେସେଜ ପଠଇଥିଲେ । ନିଜ ସିଇଓଙ୍କ ହ୍ବାଟ୍ସଆପ ଆକାଉଣ୍ଟରୁ ଏପରି ମେସେଜ ଆସିଥିବା ବିଶ୍ବାସ କରି କମ୍ପାନି ପକ୍ଷରୁ ସଂପୃକ୍ତ ବ୍ୟାଙ୍କ ଖାତା ଗୁଡ଼ିକରେ ମୋଟ ୧ କୋଟି ୧ ଲକ୍ଷ ୧ ହଜାର ୫୫୪ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ପରେ ଜଣାପଡ଼ିଥିଲା ଯେ ପୁନାଓ୍ବାଲା ଏପରି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ଏହା ଏକ ସାଇବର ଅପରାଧ ବୋଲ ଜଣାପଡ଼ିବା ପରେ କମ୍ପାନି ପକ୍ଷରୁ ପୁଲିସରେ ଏକ ମାମଲା ଦାୟର କରାଯାଇଛି । କମ୍ପାନିର ମୁଖ୍ୟ ଅର୍ଥ ଅଧିକାରୀ (ସିଏଫଓ) ସାଗର କିଟ୍ଟୁର କହିଛନ୍ତି ଯେ ସେପ୍ଟେମ୍ବର ୭ ଅପରାହ୍ଣରୁ ସେପ୍ଟେମ୍ବର ୮ ଅପରାହ୍ଣ ମଧ୍ୟରେ ହୋଇଥିଲା । ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।