ଡ୍ରଗ୍ କଣ୍ଟ୍ରୋଲର୍‌ଙ୍କ ଠାରୁ ନୋଟିସ୍ ପାଇ ଭାରତରେ କରୋନାଭାଇରସ୍ ଟିକା ପରୀକ୍ଷା ବନ୍ଦ କଲା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ‌କରୋନାଭାଇରସ୍ ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟିକାର ନୈଦାନିକ ପରୀକ୍ଷା ସ୍ଥଗିତ ରଖିଛି। ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ଙ୍କ ଠାରୁ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଦେଶରେ କରୋନାଭାଇରସ୍ ଟିକା ପରୀକ୍ଷା ବନ୍ଦ ରହିବ ବୋଲି ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏକ ବିବୃତିରେ ଉଲ୍ଲେଖ କରିଛି।

‘ଡାଇରେକ୍ଟର୍ ଜେନେରାଲ୍ ଅଫ୍ ହେଲ୍‌ଥ୍‌ ସର୍ଭିସେସ୍’ ମଧ୍ୟ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟ ଦେଶମାନଙ୍କରେ ଆଷ୍ଟ୍ରାଜେନିକା ଚଳାଇଥିବା ନୈଦାନିକ ପରୀକ୍ଷା ବନ୍ଦ ରଖିଥିବା କଥା ପୁଣେସ୍ଥିତ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏ ପର୍ଯ୍ୟନ୍ତ ‘ସେଣ୍ଟ୍ରାଲ୍‌ ଲାଇସିନ୍‌ସିଙ୍ଗ୍ ଅଥରିଟି’କୁ ଅବଗତ କରାଇନାହିଁ। ଏହାଛଡ଼ା, ନିରାପତ୍ତା ଦିଗରୁ ଦେଶରେ କରାଯାଉଥିବା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷାରେ ଦେଖା ଦେଇଥିବା ପ୍ରତିକୂଳ ପ୍ରତିକ୍ରିୟାର ବିଶ୍ଳେଷଣ ରିପୋର୍ଟ ମଧ୍ୟ ଦାଖଲ କରିନାହିଁ।

Image Courtesy of The Economic Times

ମଙ୍ଗଳବାର ଦିନ ଆଷ୍ଟ୍ରାଜେନିକା କହିଥିଲା ଯେ, ଟିକା ପରୀକ୍ଷା ବନ୍ଦ ରଖି ଏହାର ନିରାପତ୍ତା ତଥ୍ୟାବଳୀ ସମୀକ୍ଷା କରିବାକୁ ଏକ ସ୍ବାଧୀନ କମିଟିକୁ ଅନୁମତି ଦେଇଛୁ।

ଇଂଲଣ୍ଡ୍‌ରେ କରାଯାଇଥିବା ନୈଦାନିକ ପରୀକ୍ଷାରେ ପ୍ରତିକୂଳ ଫଳାଫଳ ଜଣାପଡ଼ିବା ପରେ ବୁଧବାର ଦିନ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୂନାୱାଲା କହିଥିଲେ ଯେ, ଭାରତରେ କରାଯାଇଥିବା ପରୀକ୍ଷାରେ କୌଣସି ଅପ୍ରୀତିକର ରିପୋର୍ଟ ହସ୍ତଗତ ହୋଇନାହିଁ।

କିନ୍ତୁ, ଇଂଲଣ୍ଡ୍‌ରେ ଆଷ୍ଟ୍ରାଜେନିକା କୋଭିଡ୍‌-୧୯ ଟିକା ପରୀକ୍ଷା ସ୍ଥଗିତ ରଖାଯିବା ପରେ ଡ୍ରଗ୍‌ କଣ୍ଟ୍ରୋଲର୍‌ ଟିକା ପ୍ରସ୍ତୁତକର୍ତ୍ତା ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ।

ଏଠାରେ ସୂଚାଇ ଦିଆଯାଇ ପା‌ରେ ଯେ, କରୋନାଭାଇରସ୍ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷା କରାଇବାକୁ ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କୁ ଅନୁମତି ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର