ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌-ନୋଭାଭାକ୍ସ ପ୍ରସ୍ତୁତ କରିବେ କୋଭିଡ୍‌ ଟିକାର ଶହେ କୋଟି ମାତ୍ରା

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଟିକା ନିର୍ମାତା କମ୍ପାନି ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଆମେରିକାର ମେରିଲିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍‌. ସହ ମିଶି ଏକ କୋଭିଡ୍‌-୧୯ ଟିକାର ବିକାଶ ଏବଂ ବ୍ୟାବସାୟିକ ପ୍ରସ୍ତୁତି ପାଇଁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି। ତେବେ ଉଭୟ କମ୍ପାନି ଭାରତ ଏବଂ ଅନ୍ୟାନ୍ୟ ନିମ୍ନ ଓ ମଧ୍ୟବିତ୍ତ ଦେଶମାନଙ୍କରେ ବିତରଣ ପାଇଁ ଏନ୍‌ଭିଏକ୍ସ-କୋଭ୍‌୨୩୭୩ ନାମର ଉକ୍ତ ଟିକାର ଅତି କମ୍‌ରେ ଶହେ କୋଟି ମାତ୍ରା ପ୍ରସ୍ତୁତ କରିବେ ବୋଲି ନୋଭାଭାକ୍ସ ପକ୍ଷରୁ ସୂଚନା ମିଳିଛି।

ସେହିପରି ପୂର୍ବରୁ ନୋଭାମାକ୍ସ ସହ ମିଶି ଏକ ମ୍ୟାଲେରିଆ ଟିକାର ବିକାଶ ବେଳେ ସେମାନଙ୍କ ଟିକା ବିକାଶ ଦକ୍ଷତା ସମ୍ପର୍କରେ ଆମେ ଦୃଢ଼ ନିଶ୍ଚିତ ରହିଛୁ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦର ପୁନାଵାଲା କହିଛନ୍ତି। ତେଣୁ ମହାମାରୀ କୋଭିଡ୍‌-୧୯ ବିରୋଧରେ ଏନ୍‌ଭିଏକ୍ସ-କୋଭ୍‌୨୩୭୩ ଉଲ୍ଲେଖନୀୟ ସଫଳତା ଆଣିଦେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସୁତରାଂ ଏହି ସବୁ ନିର୍ଦ୍ଧାରିତ ଦେଶମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଟିକା ଉପଲବ୍‌ଧ କରାଇବାକୁ ଉଭୟ କମ୍ପାନି ଆଗଭର ହୋଇଥିବା ଶ୍ରୀ ପୁନାଵାଲା କହିଛନ୍ତି। ସେହିପରି ଟିକାର ମାତ୍ରା ହିସାବରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତ କରିବାର ରେକର୍ଡ ବହନ କରୁଥିବାରୁ ଉକ୍ତ କମ୍ପାନି ସହ ମିଶି କୋଭଡ୍‌ ଟିକା ପ୍ରସ୍ତୁତି ପାଇଁ ଆମେ ପସନ୍ଦ କଲୁ ବୋଲି ନୋଭାମାକ୍ସର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟେନ୍‌ଲେ ସି. ଏର୍କ କହିଛନ୍ତି।

ସମ୍ବନ୍ଧିତ ଖବର