ସେପ୍ଟେମ୍ବର ମାସରୁ ସ୍ପୁଟନିକ-ଭିର ଉତ୍ପାଦନ ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍, ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସଠାରୁ ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭିର ଉତ୍ପାଦନ ଆରମ୍ଭ କରିବ । ଏହା ସହ ବାର୍ଷିକ ୩୦କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କୁହାଯାଇଛି ।

ସୂଚନା ମୁତାବକ, ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସିଜିଆଇର ମଞ୍ଜୁରୀ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷକୁ ୩୦ କୋଟି ଖୋରାକ ଉତ୍ପାଦନ କରାଯିବା ନେଇ କମ୍ପାନି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଟିକାର ପ୍ରଥମ ବ୍ୟାଚ୍ ୨୦୨୧ ସେପ୍ଟେମ୍ବର ମାସରେ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନି ଆଶା ରଖିଛି । ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି କି, ସ୍ପୁଟନିକ ଭି ଟିକା ପ୍ରସ୍ତୁତ ନେଇ ଆରଡିଆଇଏଫ୍ (ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ) ସହିତ ବୁଝାମଣା କରି ସେ ବେସ୍ ଖୁସି ଅଛନ୍ତି ।

ସେ ଆହୁରି କହିଛନ୍ତି କି, ଉଚ୍ଚ ପ୍ରଭାବଶାଳୀ ଓ ଅଧିକ ସୁରକ୍ଷା ପ୍ରଦାନ କରୁଥିବା ସ୍ପୁଟନିକ-ଭି ଟିକା ଭାରତ ସମେତ ସାରା ବିଶ୍ୱର ଲୋକମାନଙ୍କ ପାଇଁ ଉପଲବ୍ଧ ହେଉ । କରୋନା ଭୂତାଣୁ ବଦଳାଉଥିବା ରୂପକୁ ନଜରରେ ରଖି ସରକାର ଓ ଅନ୍ତର୍ଜାତୀୟ ସଂସ୍ଥାମାନେ କରୋନା ଲଢେଇରେ ବିଶ୍ୱର ମାନବ ସଭ୍ୟତାକୁ ସହଯୋଗ କରିବାକୁ ଗୁରୁତ୍ୱ ଦେବା ଆବଶ୍ୟକ ।

ଆରଡିଆଇଏଫର ସିଇଓ କିରୀଲ ଦିମିତ୍ରୀବ କହିଛନ୍ତି କି, ଦୁନିଆର ସବୁଠାରୁ ବଡ ଟିକା ନିର୍ମାତା କମ୍ପାନି ସେରମ ଇନଷ୍ଟିଚ୍ୟୁଟ୍ ସହିତ ଭାଗିଦାରୀରେ ଟିକା ପ୍ରସ୍ତୁତ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି । ଏହାସହ ଏହି ଟିକା କରୋନାର ସବୁ ପ୍ରକାର ଭାରିଆଣ୍ଟ ସହ ଲଢିବାର କ୍ଷମତା ରଖିଥିବା ସହ ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର