ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ର ସ୍କୁଟର କିଣିଥିବା ଗ୍ରାହକମାନେ ସର୍ଭିସିଂକୁ ନେଇ ସମସ୍ୟା ସାମ୍ନା କରୁଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ତାହାକୁ ଗମ୍ଭୀରତାର ସହ ନେଇଛନ୍ତି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତପକ୍ଷ (ସିସିପିଏ) କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। କମ୍ପାନି ବିରୋଧରେ ସର୍ଭିସିଂ ସୁବିଧା ପ୍ରଦାନ କରିବାରେ ଯଥେଷ୍ଟ ବ୍ୟବସ୍ଥା କରିବାର ଅଭାବ, ବିଭ୍ରାନ୍ତିକର ବିଜ୍ଞାପନ, ବେଆଇନ ବ୍ୟବସାୟ ଅଭ୍ୟାସ, ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ଭଳି ଶହ ଶହ ଅଭିଯୋଗ ରହିଛି। ସେହି ସବୁ ଅଭିଯୋଗଗୁଡ଼ିକ ଉପରେ ୧୫ ଦିନ ଭିତରେ ଉତ୍ତର ଦେବାକୁ କମ୍ପାନିକୁ କୁହାଯାଇଛି। ଓଲା ଇ-ସ୍କୁଟରକୁ ନେଇ ଗତବର୍ଷ ସେପ୍ଟେମ୍ବର ପରଠାରୁ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ଜରିଆରେ ୧୦୬୪୪ ଅଭିଯୋଗ ପହଞ୍ଚିଛି।
ସେଥିରୁ ୩୩୮୯ଟି ଅଭିଯୋଗ ସର୍ଭିସିଂରେ ହେଉଥିବା ବିଳମ୍ବ ନେଇ କରାଯାଇଥିବା ବେଳେ ନୂଆ ଗାଡ଼ିର ଡେଲିଭରିରେ ହେଉଥିବ ବିଳମ୍ବ ପାଇଁ ୧୮୯୯ ଅଭିଯୋଗ ଏବଂ ପ୍ରତିଶ୍ରୁତି ଅନୁସାରେ ସର୍ଭିସିଂ କରାଯାଇନଥିବା ନେଇ ୧୪୫୯ଟି ଅଭିଯୋଗ ହୋଇଥିଲା। ଗତକାଲି ଓଲା ଇଲେକ୍ଟ୍ରିକ୍ର ସିଇଓ ଭବିଷ ଅଗ୍ରୱାଲ୍ ଓ କମେଡିଆନ୍ କୁନାଲ୍ କାମ୍ରାଙ୍କ ମଧ୍ୟରେ ଟ୍ବିଟ୍ ଯୁଦ୍ଧ ଦେଖିବାକୁ ମିଳିଥିଲା। ଓଲା ଇ-ସ୍କୁଟର ସର୍ଭିସିଂକୁ ନେଇ କାମ୍ରା କରିଥିବା ଏକ ଟ୍ବିଟ୍ରେ ଭବିଷ ରାଗିଯିବା ସହ ତାଙ୍କୁ ଜଣେ ବିଫଳ କମେଡିଆନ୍ ଓ ଟଙ୍କା ନେଇ ଟ୍ବିଟ୍ କରୁଥିବା ଅଭିଯୋଗ କରିଥିଲେ। ଏଭଳିକି ଚୁପ୍ ବସିବାକୁ ତାଙ୍କୁ ଧମକ ଦେଇଥିଲେ। ଉଭୟଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଏହି ଲଢ଼େଇ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ଘଟଣା ପରେ ଆଜି ଓଲା ଇଲେକ୍ଟ୍ରିକ୍ର ସେୟାର ମୂଲ୍ୟରେ ୯ ପ୍ରତିଶତ ହ୍ରାସ ଘଟିଛି। ବିଭିନ୍ନ ମହଲରେ ଓଲା ସିଇଓଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିବା ବେଳେ କିଛି ଉଦ୍ୟୋଗୀ ତାଙ୍କ ସମର୍ଥନରେ ମଧ୍ୟ ଯୁକ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/lzLhpd3WmCZ1uUVlUgNY.jpg)