ଜରାଶ୍ରୟରେ ଶେଷାନ୍‌ଙ୍କ ଶେଷ ଜୀବନ

ପାଖରେ ନାହାନ୍ତି କେହି ଆତ୍ମୀୟ ସୋଦର

ଚେନ୍ନାଇ: ବୃଦ୍ଧାବସ୍ଥା ବେଳେ ପାଖରେ କେହି ସନ୍ତାନସନ୍ତତି ନଥିଲେ କିପରି ଦୁର୍ବିଷହ ଜୀବନ ଜିଇବାକୁ ହୁଏ ତାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି ଏନ୍‌ ଶେଷାନଙ୍କ କ୍ଷେତ୍ରରେ। ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ଶେଷାନ କୌଣସି ଆତ୍ମୀୟ ସୋଦରଙ୍କ ଠାରୁ ସେବା ଶୁଶ୍ରୂଷା ପାଇନପାରି ଶେଷରେ ପତ୍ନୀ ଜୟଲକ୍ଷ୍ମୀଙ୍କ ସହ ଏକ ଜରା ନିଳୟରେ ଆଶ୍ରୟ ନେବା ଘଟଣା ଆଲୋଡ଼ନ ଆଣିଛି। ସରକାରୀ ସେବା କାର୍ଯ୍ୟ ପାଇଁ ୧୯୯୬ରେ ରମଣ ମାଗାସେସେ ପୁରସ୍କାର ଲଭିଥିବା ଶେଷାନ ଏକଦା ନିଜର ପ୍ରାଶାସନିକ ଦକ୍ଷତା ବଳରେ ରାଜନେତା ଏବଂ ଅମଲାତନ୍ତ୍ର ପାଇଁ ଚର୍ଚ୍ଚିତ ଚେହେରା ସାଜିଥଲେ। ତେବେ ପରିଣତି ବୟସରେ ତାଙ୍କର ଏହି ଦୟନୀୟ ସ୍ଥିତି ଏବେ ଭିନ୍ନ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ଖବର ଅନୁଯାୟୀ, ପୂଟପର୍ତ୍ତିର ଅଧ୍ୟାତ୍ମ ଗୁରୁ ସତ୍ୟସାଇ ବାବାଙ୍କର ଜଣେ ଉତ୍ସର୍ଗୀକୃତ ଭକ୍ତ ଥିବା ଶେଷାନଙ୍କର ସମ୍ପ୍ରତି ସ୍ମରଣ ଶକ୍ତି ଭୀଷଣ ମାତ୍ରାରେ ହ୍ରାସ ହୋଇଯାଇଛି। ୨୦୧୧ ମସିହା ଏପ୍ରିଲ୍‌ ମାସରେ ସତ୍ୟସାଇଙ୍କ ଇହଲୀଳା ସମ୍ବରଣ ପରେ ଶେଷାନ ମାନସିକ ସ୍ତରରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଏଥି ସହିତ ତାଙ୍କୁ ବାର୍ଦ୍ଧକ୍ୟଜନିତ ଅନ୍ୟାନ୍ୟ ରୋଗ ମଧ୍ୟ ଗ୍ରାସିଥିଲା। ତାଙ୍କର କୌଣସି କଥା ବିଶେଷ ଭାବେ ମନେ ରହୁନଥିଲା କି ମନେ ବି ପଡୁନଥିଲା। ଏଭଳି ସ୍ଥିତିରେ ବୃଦ୍ଧା ପତ୍ନୀ ଜୟଲକ୍ଷ୍ମୀ ମଧ୍ୟ ସ୍ୱାମୀଙ୍କର ଆବଶ୍ୟକ ଦେଖାଶୁଣା କରିବାକୁ ସମର୍ଥ ନଥିଲେ। ଅପରପକ୍ଷେ, ସନ୍ତାନସନ୍ତତି ବିହୀନ ଏହି ଶେଷାନ ଦମ୍ପତିଙ୍କ ଯତ୍ନ ନେବା ସହ ସାହା ଭରସା ଯୋଗାଇବାକୁ ପାଖରେ ମଧ୍ୟ କେହି ଆତ୍ମୀୟ ସ୍ୱଜନ ନଥିଲେ। ଫଳରେ ସେମାନେ ବାଧ୍ୟ ହୋଇ କେରଳର ପଲକ୍କଡ଼ ସ୍ଥିତ ନିଜର ସୁଦୃଶ୍ୟ ଘରଦ୍ୱାର ଛାଡ଼ି ଚେନ୍ନାଇ ସ୍ଥିତ ‘ଗୁରୁକୁଳମ୍‌ ଓଲ୍ଡ ଏଜ୍‌ ହୋମ୍‌’ ନାମକ ଏକ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିଲେ। ସେଠାରେ ତିନି ବର୍ଷ ରହଣି ଭିତରେ ଚିକିତ୍ସା ପାଇ କିଛି ଉପଶମ ହେବା ପରେ ସେମାନେ ନିଜ ଘରକୁ ଫେରିଥିଲେ। ମାତ୍ର ଘରେ ପୁଣି ଶେଷାନଙ୍କର ମାନସିକ ବିକୃତି ଆରମ୍ଭ ହୋଇଥିଲା। ଫଳରେ ତାଙ୍କୁ ପୁଣି ସେହି ବୃଦ୍ଧାଶ୍ରମକୁ ନିଆଯାଇଥିଲା। ସେବେଠାରୁ ଉଭୟ ଦମ୍ପତି ସେହି ଜରାଶ୍ରମରେ ହି ରହି ଆସୁଛନ୍ତି। ନିଜର ଶେଷ ବାସସ୍ଥଳୀ ଭାବେ ଉକ୍ତ ଜରା ନିଳୟକୁ ଆଦରି ନେଇଥିବା ଶେଷାନ ଦମ୍ପତି ସେଠାରେ ବେଶ ଖୁସିବାସିରେ ରହିପାରୁଥିବା ଜଣାଯାଇଛିି। ଏପରିକି ଗତ ଡିସେମ୍ବର ୧୫ ତାରିଖରେ ସେଠାରେ ଅନ୍ୟ ଅନ୍ତେବାସୀଙ୍କ ଗହଣରେ ଶେଷାନ ନିଜର ୮୫ ତମ ଜନ୍ମବାର୍ଷିକୀ ପାଳିଥିଲେ। ନିଜର ଚିକିତ୍ସା ଓ ଔଷଧ ଖର୍ଚ୍ଚ ବାଦ୍‌ ବଳୁଥିବା ଅବସରକାଳୀନ ଆୟକୁ ସେ ଅନ୍ୟ ଅନ୍ତେବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ୧୯୫୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଧିକାରୀ ଶେଷାନ ନବେ ଦଶକର ପ୍ରଥମାର୍ଦ୍ଧରେ ମୁଖ୍ୟ ନିର୍ବାଚନ ଆୟୁକ୍ତର ଦାୟିତ୍ୱ ନେଇ ନିର୍ବାଚନ ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ। ବିଶେଷ କରି ଜନ ପ୍ରତିନିଧି ଆଇନ ଲାଗୁ ସାଙ୍ଗକୁ ପ୍ରାର୍ଥୀଙ୍କ ଆଚରଣ ବିଧି ଉଲ୍ଲଂଘନକୁ କଡ଼ାକଡ଼ି କରିବା ସହ ନିର୍ବାଚନ ପ୍ରଚାରରେ ସରକାରୀ କଳର ଦୁରୁପଯୋଗରେ ଅଙ୍କୁଶ ଲଗାଇ ସେ ବେଶ ଚର୍ଚ୍ଚିତ ଥିଲେ।

ସମ୍ବନ୍ଧିତ ଖବର