ନିର୍ଭୟା ଦୁଷ୍କର୍ମକାରୀ ପଓ୍ଵନ ଗୁପ୍ତାର ବାପା ଆଗତ କରିଥିବା ଆଉ ଏକ ନୂଆ ଯାଚିକାକୁ ଖାରଜ କଲେ ଦିଲ୍ଲୀର ସେସନସ୍‌ ଅଦାଲତ

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଦୁଷ୍କର୍ମକାରୀମାନେ ଦଣ୍ଡାଦେଶର କାର୍ଯ୍ୟକାରୀତାକୁ ଆହୁରି ବିଳମ୍ବିତ କରାଇବା ଉଦ୍ଦେଶ୍ୟରେ ଗଳାବାଟର ସୁଯୋଗ ନେଇ ଯେଉଁ ଆଇନ ଦାଓପେଞ୍ଚର ଖେଳ ଖେଳିବାକୁ ଆରମ୍ଭ କରିଥିଲେ ତାହାକୁ ଶେଷ କରିବାର ନାମ ଧରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ନିର୍ଭୟା ଦୁଷ୍କର୍ମ ଘଟଣାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ଦୋଷୀ ପଓ୍ଵନ କୁମାର ଗୁପ୍ତାର ବାପା ଆଜି ପୁଣି ଥରେ ଏକ ନୂଆ ଯାଚିକା ଧରି ଯାଇ ପହଞ୍ଚିଛନ୍ତି ଦିଲ୍ଲୀର ସେସନସ୍‌ ଅଦାଲତରେ।

ଆଗତ ଯାଚିକାରେ ଦୋଷୀ ପଓ୍ଵନ କୁମାର ଗୁପ୍ତାର ବାପା ଅଭିଯୋଗ କରି କହିଛନ୍ତି ଯେ ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଯେଉଁ ବୟାନ ଦେଇଛନ୍ତି ତାହାର କୌଣସି ସତ୍ୟତା ନାହିଁ। ପୁଲିସ୍‌ ପ୍ରତ୍ୟକ୍ଷଦର୍ଶୀଙ୍କୁ ନିର୍ଯାତନା ଦେଇ ତା’ ଠାରୁ ଏହି କଳ୍ପିତ ବୟାନ ଆଦାୟ କରିଛି। ତେଣୁ, ଏହି ମାମଲାର ପୁନର୍ବିଚାର କରାଯାଉ। ତେବେ, ଦିଲ୍ଲୀର ସେସନସ୍‌ ଅଦାଲତ ଅଜି ଅପରାହ୍ଣରେ ପ୍ରାଥମିକ ଶୁଣାଣି କାଳରେ ଏହି ଯାଚିକାକୁ ଖାରଜ କରି ଦେଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ. ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ୪ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧ ତାରିଖ, ସକାଳ ୬ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଅଦାଲତ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରି ସାରିଥିବା ବେଳେ, ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରିତାକୁ ଆହୁରି ବିଳମ୍ବିତ କରାଇବା ଉଦ୍ଦେଶ୍ୟରେ ଆଇନ୍‌ରେ ରହିଥିବା ବିଭିନ୍ନ ଗଳାବାଟର ସୁଯୋଗ ନେଇ ବିଭିନ୍ନ ଅଦାଲତମାନଙ୍କରେ ମାମଲା ପରେ ମାମଲା ଆଗତ କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର