ଅବ୍ୟବସ୍ଥା ମହଙ୍ଗା ପଡ଼ିଲା : ଶୃଙ୍ଖଳାର ଛାଟ ମାରିଲେ ସୁପ୍ରିମକୋର୍ଟ, ମହାପ୍ରଭୁଙ୍କୁ ଦାନ ଅର୍ଥ ସେବକଙ୍କୁ ମନା

ନୂଆଦିଲ୍ଲୀ : ଭକ୍ତମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦେଉଥିବା ଦାନକୁ ଭାଗ କରିବାର ଅଧିକାର ଶ୍ରୀମନ୍ଦିରର ସେବକ ବା କର୍ମଚାରୀ କାହାର ନାହିଁ। ସେମାନେ ନିୟମ ଅନୁସାରେ ସେମାନଙ୍କର ପାରିଶ୍ରମିକ ପାଇବେ। ଦାନ କେବଳ ହୁଣ୍ଡିରେ ସଂଗ୍ରହ କରାଯିବ ଓ ଏହା ମନ୍ଦିର ପାଣ୍ଠିରେ ରହିବ। ପୁରୀ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଯେଭଳି ଶୋଷଣ ଚାଲିଛି, ତାକୁ ତତ୍‌କ୍ଷଣାତ୍‌ ବନ୍ଦ କରାଯିବା ଦରକାର।

ପୁରୀ ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ନେଇ ଆଜି ସୁପ୍ରିମକୋର୍ଟ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ କିଭଳି ହଇରାଣ ବା ଶୋଷିତ ନ ହୁଅନ୍ତି, ତାହାକୁ ନିଶ୍ଚିତ କରିବା ଲାଗି ଅବକାଶକାଳୀନ ଖଣ୍ଡପୀଠ ଆଜି ଏକାଧିକ ନିର୍ଦେଶନାମା ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରି ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଓ ଜଷ୍ଟିସ ଅଶୋକ ଭୂଷଣଙ୍କର ଖଣ୍ଡପୀଠ ଅନ୍ତରୀଣ ନିର୍ଦେଶନାମାରେ ସ୍ପଷ୍ଟ ଭାବେ କହିଛନ୍ତି, ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ, ରୀତିନୀତି ଅନୁସାରେ ପୂଜା କରିପାରିବେ, ସେମାନଙ୍କ ଦାନକୁ କିଭଳି ପବିତ୍ର କାର୍ଯ୍ୟରେ ଉପଯୋଗ କରାଯାଇପାରିବ ଏବଂ ସର୍ବୋପରି ଏହାକୁ କିଭଳି ମନ୍ଦିର କର୍ମଚାରୀ ଅଥବା ସେବକମାନେ ଆତ୍ମସାତ୍‌ କରିପାରିବେ ନାହିଁ, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ଶ୍ରୀମନ୍ଦିରର ସ୍ୱଚ୍ଛତା ଉପରେ ମଧ୍ୟ ବିଚାର କରି ପଦକ୍ଷେପ ନେବାଲାଗି କୋର୍ଟ ତାଙ୍କ ଅନ୍ତରୀଣ ଆଦେଶରେ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନାରେ ଅବ୍ୟବସ୍ଥା, ବିଶେଷ କରି ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଯେଉଁସବୁ କଠିନ ପରିସ୍ଥିତିକୁ ସାମ୍ନା କରୁଛନ୍ତି, ସେମାନଙ୍କୁ ଯେଭଳି ଶୋଷଣ କରାଯାଉଛି ସେସବୁ ସଂକ୍ରାନ୍ତରେ ଅନୁଧ୍ୟାନ କରି ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବା ପାଇଁ ପୁରୀ ଜିଲ୍ଲା ଜଜ୍‌ଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ତେବେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ଏଥିରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିଛନ୍ତି। ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସଂକ୍ରାନ୍ତ ମାମଲା ଶୁଣାଣିକୁ ଖଣ୍ଡପୀଠ ଅଗ୍ରାଧିକାର ଦେଇଥିଲେ।

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, ଜୁନ୍‌ ୩୦ ତାରିଖ ସୁଦ୍ଧା ଜିଲ୍ଲା ଜଜ୍‌ ଯେଉଁ ଅନ୍ତରୀଣ ରିପୋର୍ଟ ଦାଖଲ କରିବେ, ସେଥିପାଇଁ ଜିଲ୍ଲାପାଳ ଓ ପ୍ରଶାସକ ତଥ୍ୟ ଯୋଗାଇବେ। ଜିଲ୍ଲା ଜଜ୍‌ ଶ୍ରୀମନ୍ଦିର ପରିଚାଳନା ଗତ ପୂର୍ବ ରିପୋର୍ଟ ତଥା ଅଧ୍ୟୟନକୁ ବିଚାରକୁ ନେଇପାରନ୍ତି। ବିଶେଷକରି ଭକ୍ତମାନେ ଯେଉଁ ଦାନ ଦେଉଛନ୍ତି, ତାହାକୁ କିଭଳି ସେବକ ସଂଗ୍ରହ କରିପାରିବେ ନାହିଁ, ତାହାକୁ ସୁନିଶ୍ଚିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସିସିଟିଭି ଫୁଟେଜ୍‌ ସାହାଯ୍ୟ ନେବା ଲାଗି କୋର୍ଟ କହିଛନ୍ତି ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଆଜି ସୁପ୍ରିମକୋର୍ଟ ଏକଥା ବି କହିଛନ୍ତି ଯେ, ରାଜ୍ୟ ସରକାର ଗୋଟିଏ କମିଟି ଗଠନ କରିବେ ଓ ଦେଶର ପ୍ରମୁଖ ମନ୍ଦିର ଯେମିତିକି ବୈଷ୍ଣୋ ଦେବୀ, ସୋମନାଥ ମନ୍ଦିର, ଅମୃତସରର ସ୍ୱର୍ଣ୍ଣ ମନ୍ଦିର, ତିରୁପତି ମନ୍ଦିର ଆଦିର ସେମାନେ ଅନୁଧ୍ୟାନ କରି ଶ୍ରୀମନ୍ଦିରରେ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ ନେଇ ସୁପାରିସ କରିବେ। ରାଜ୍ୟ ସରକାର ଯେଉଁ କମିଟି ଗଠନ କରିବେ, ସେହି କମିଟି ମଧ୍ୟ ଜୁନ୍‌ ୩୦ ତାରିଖ ସୁଦ୍ଧା ତାଙ୍କର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

କୋର୍ଟ ଆହୁରି କହିଛନ୍ତି, ଦେଶର ସମସ୍ତ ମନ୍ଦିରରେ ପରିଚାଳନା ଗତ ବ୍ୟବସ୍ଥା ପ୍ରାୟ ଏକପ୍ରକାର ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ମଧ୍ୟ ଗୋଟିଏ କମିଟି ଗଠନ କରିବା ଆବଶ୍ୟକ। ଦେଶର ଅନ୍ୟ ମନ୍ଦିରମାନଙ୍କରେ ପରିଚାଳନା ନୀତି ସଂପର୍କରେ ଏହି କମିଟି ଦ୍ୱାରା ସୂଚନା ସଂଗ୍ରହ କରାଯିବା ଉଚିତ୍‌। ଏହାଦ୍ୱାରା ପରିଚାଳନା ନୀତିକୁ ଭକ୍ତଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସମୀକ୍ଷା କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ଏହି ମାମଲାରେ ସହଯୋଗ କରିବା ଲାଗି ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ କୋର୍ଟ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି। ଗୋପାଳ ସୁବ୍ରମଣ୍ୟମ୍‌ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ, ରାଜ୍ୟ ସରକାରଙ୍କ ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ରିପୋର୍ଟକୁ ଅଧ୍ୟୟନ ଓ ତର୍ଜମା କରି କୋର୍ଟଙ୍କୁ ତାଙ୍କ ସୁପାରିସ ପ୍ରଦାନ କରିବେ।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ଓ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆବେଦନକାରୀ ଓକିଲ ମୃଣାଳିନୀ ପାଢ଼ୀଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଭକ୍ତଙ୍କ ଦର୍ଶନ ସମୟରେ ଅବ୍ୟବସ୍ଥା, ଭକ୍ତମାନଙ୍କୁ ବ୍ୟାବସାୟିକ ମନୋବୃତ୍ତି ରଖି ଅସଦାଚରଣ, ଶୋଷଣ, ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ନ ଦିଆଯିବା ଏବଂ ମହାପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆନଯିବା ଭଳି ପ୍ରସଙ୍ଗ ଉପରେ ବରିଷ୍ଠ ଓକିଲ ଶୁଭ୍ରାଂଶୁ ପାଢ଼ୀ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନ ଗଠନ କରାଯାଇଥିବା ସୂଚନା ଦେଇଥିଲେ।

କୋର୍ଟ ଏହି ମାମଲାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ନୋଟିସ୍‌ ଜାରି କରିଛନ୍ତି। ଏଥିସହିତ ଜୁଲାଇ ୭ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ୍‌ ବାନାର୍ଜୀ କୋର୍ଟରେ ଉପସ୍ଥିତ ଥିଲେ ଓ ମାମଲାରେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଖଣ୍ଡପୀଠଙ୍କୁ ଆଶ୍ୱାସନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ଶୁଣାଣି ସମୟରେ କୋର୍ଟ କହିଥିଲେ, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂଜାସ୍ଥଳୀମାନଙ୍କରେ ଉପଯୁକ୍ତ ପରିଚାଳନାର ଯଥେଷ୍ଟ ଗୁରୁତ୍ୱ ରହିଛି। ଲକ୍ଷାଧିକ ଭକ୍ତ ଯେଉଁସବୁ ସ୍ଥାନ ପରିଦର୍ଶନ କରୁଛନ୍ତି, ତାହା କେବଳ ପର୍ଯ୍ୟଟନ ପାଇଁ ନୁହେଁ। ସେହିଭଳି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବନାମ ଚିନ୍ତାମଣି ଖୁଣ୍ଟିଆ ୧୯୯୭ ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଆଧାରରେ ଦାନ ପାଇଁ ହୁଣ୍ଡି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ କୋର୍ଟ ଶୁଣାଣି ବେଳେ ସୂଚାଇ ଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ହେବ।

ସମ୍ବନ୍ଧିତ ଖବର