ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଥରେ କିମ୍ବା ୨ ଥର ନୁହେଁ ୯ ଥର ସମନ ପଠାଇବା ପରେ ହାଜର ନହେବା କାରଣରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉଜ ଏଭିନ୍ୟୁ କୋର୍ଟ ପୁଣି ଏକ ଝଟକା ଦେଇଛି।

Advertisment

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କେଜ୍ରିୱାଲ କୋର୍ଟରେ ୭ଦିନର ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି।

କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି ଯାଞ୍ଚ ଏଜେନ୍ସି କହିଥିଲେ, ‘କେଜ୍ରିୱାଲ କୋର୍ଟଙ୍କୁ ଭୁଆଁ ବୁଲାଉଛନ୍ତି। କେଜ୍ରିୱାଲ ଯେତେବେଳେ ଲୋକସଭା ନିର୍ବାଚନ ପ୍ରଚାର କରୁଥିଲେ ସେତେବେଳେ ତାଙ୍କର କୌଣସି ବି ସ୍ବାସ୍ଥ୍ୟ ସମସ୍ୟା ଦେଖାଗଲା ନାହିଁ। କିନ୍ତୁ ଯେତେବେଳେ ଆତ୍ମସମର୍ପଣ କରିବାର ସମୟ ଆସିଲା ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲା।’

ଏଜେନ୍ସି ଓ କେଜ୍ରିୱାଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଶୁଣାଣିକୁ ସ୍ଥଗିତ କରି ଦେଇଥି‌ଲେ। ଆଜି ଅର୍ଥାତ ଜୁନ ୫ ତାରିଖରେ ‌କୋର୍ଟ କେଜ୍ରିୱାଲଙ୍କ ଏହି ମାମଲାର ଶୁଣାଣି କରି ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ବୁଧବାର ଭିଡିଓ କନଫରେନ୍ସ ଜରିଆରେ କେଜ୍ରିୱାଲ କୋର୍ଟରେ ହାଜର ହୋଇଥିଲେ। ରାଉଜ ଏଭିନ୍ୟୁ କୋର୍ଟ ଶୁଣାଣି କରି କହିଛନ୍ତି, ଅରବିନ୍ଦଙ୍କ ନ୍ୟାୟିକ ହେପାଜତକୁ ୧୪ଦିନ ପାଇଁ ବୃଦ୍ଧି କରାଯାଇଛି। କେଜ୍ରିୱାଲଙ୍କୁ ଜୁନ ୧୯ ପର୍ଯ୍ୟନ୍ତ  ଜେଲରେ ହିଁ ରହିବାକୁ ପଡ଼ିବ। ଏଥିସହିତ ଅଧିକାରୀମାନଙ୍କୁ କେଜ୍ରିୱାଲଙ୍କ ଯାହାଯାହା ଡାକ୍ତରୀ ପରୀକ୍ଷା ଅଛି ତାହାକୁ କରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।