କୋଲକତା: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ମାସ କେତେଟା ବାକି ରହି ଯାଇଥିବା ବେଳେ ଏବେ ନେତାମାନଙ୍କ ମଧ୍ୟରେ ଯୋଡ଼ତୋଡ଼ ଓ ଦଳଡ଼ିଆଁ ରାଜନୀତିର ପ୍ରାବଲ୍ୟ ବୃଦ୍ଧି ପାଇଛି। ଏହି କ୍ରମରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା ବାନାର୍ଜୀ (ଦିଦି)ଙ୍କୁ ଲାଗିଛି ଶକ୍ତ ଧକ୍କା। କାରଣ, ଟିଏମ୍‌ସିର ଲୋକସଭା ସାଂସଦ ସୌମିତ୍ର ଖାନ୍‌ ଆଜି ତୃଣମୂଳ ପରିତ୍ୟାଗ କରି ଯାଇ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ରେ।

Advertisment

ଏଥିସହ ଆଜିର ଏ ଘଟଣା ପରେ ଅଳ୍ପଦିନ ପୂର୍ବରୁ ବିଜେପିରେ ଯୋଗ ଦେଇ ସାରିଥିବା ଟଏମ୍‌ସିର ଆଗ ଧାଡ଼ିର ନେତା ମୁକୁଲ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କେବଳ ସୌମିତ୍ର ନୁହନ୍ତି; ଟିଏମ୍‌ସିର ଆହୁରି ୫ ଜଣ ସାଂସଦ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିର୍ବାଚନ ପୂର୍ବରୁ ସେମାନେ ମଧ୍ୟ ଯଥା ସମୟରେ ତୃଣମୂଳ ଛାଡ଼ି ଆସି ବିଜେପିରେ ଯୋଗଦେବେ। ମୁକୁଲଙ୍କ ଏ ବୟାନବାଜି ଶୁଣିବା ପରେ ଏବେ ଦିଦିଙ୍କ ଆଖିରୁ ନିଦ ହଜି ଯାଇଛି।

publive-image

ତୃଣମୂଳ ଛାଡ଼ିବା ପୂର୍ବରୁ ସାଂସଦ ସୌମିତ୍ର ଖାନ୍‌ ଆଜି ସକାଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରି ବିଜେପିରେ ତାଙ୍କ ଯୋଗଦାନକୁ ନିଶ୍ଚିତ କରିଥିଲେ। ପରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ‘ଏବେ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ଶାସନ ନୁହେଁ; ବରଂ ପୁଲିସ୍‌ ରାଜ ଚାଲିଛି। ତେଣୁ, ମମତା ବାନାର୍ଜୀଙ୍କୁ ଛାଡ଼ି ନରେନ୍ଦ୍ର ମୋଦିଙ୍କ ସହ କାମ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଥିବାରୁ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଛି।’