ବ୍ୟାଙ୍କକ୍ (ଥାଇଲାଣ୍ଡ): ଆଜି (ବୁଧବାର) ଅନ୍ତର୍ଜାତିକ କ୍ଷେତ୍ରରେ ପାକିସ୍ତାନ ବିରୋଧରେ ଏକ ବଡ଼ କୂଟନୈତିକ ବିଜୟ ହାସଲ କରିଛି ଭାରତ। ଏଥିସହ ଏକ ବରାଟ ଝଟକା ଲାଗିଛି ପାକିସ୍ତାନ ଓ ଅଣ୍ଡରଓ୍ଵାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍କୁ। କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ଜନୈକ ଘନିଷ୍ଠ ସହଯୋଗୀ ତଥା ଦାଉଦ୍ ଅପରାଧିକ ସିଣ୍ଡିକେଟର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୟଦ ମୁଜାକିର୍ ମୁଦାସର ହୁସେନ୍ ଓରଫ୍ ମହମ୍ମଦ ସଲିମ୍ ଓରଫ ମୁନ୍ନା ଝିଙ୍ଗରାକୁ ଥାଇଲାଣ୍ଡର ଏକ ଅଦାଲତ ପାକିସ୍ତାନ ନାଗରିକ ବୋଲି ଅସ୍ୱୀକାର କରିବା ସହ ତାକୁ ତୁରନ୍ତ ଭାରତ ହାତରେ ପ୍ରତ୍ୟପର୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣ୍ଡର ଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ପରିଚାଳିତ ଡି କମ୍ପାନିର ଜଣେ ସକ୍ରିୟ ସଦସ୍ୟ ଥିବା ମୁନ୍ନା ଝିଙ୍ଗରା ଦାଉଦ୍ ଇବ୍ରାହିମ୍ ଓ ଛୋଟା ସକିଲର ଡାହାଣ ଥିଲା। ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗରେ ଭାରତର ମୋଷ୍ଟଓ୍ଵାଣ୍ଟେଡ୍ ତାଲିକାରେ ରହିବା ପରେ ମୁନ୍ନା ଝିଙ୍ଗରା ପାକିସ୍ତାନକୁ ଲୁଚି ପଳାଇବା ସହ ସେଠାରେ ଦାଉଦର ଛତ୍ରଛାୟା ତଳେ ରହିଥିଲା।
ତେବେ, ଦାଉଦ୍ ତା’ର ପରମ ଶତ୍ରୁ ଛୋଟା ରାଜନ୍କୁ ହତ୍ୟା କରିବା ପାଇଁ ମୁନ୍ନା ଝିଙ୍ଗରାକୁ ପାକିସ୍ତାନ ପାସପୋର୍ଟ ସାହାଯ୍ୟରେ ଥାଇଲାଣ୍ଡ ପଠାଇଥିଲା। ଥାଇଲାଣ୍ଡରେ ଛୋଟା ରାଜନ୍କୁ ହତ୍ୟା କରିବା ପାଇଁ ମୁନ୍ନା ସେଠାରେ ସୁଯୋଗ ଅପେକ୍ଷାରେ ରହିଥିବା ବେଳେ ଥାଇଲାଣ୍ଡ ପୁଲିସ୍ ହାତରେ ଗିରଫ ହୋଇ ୨୦୦୦ ସେପ୍ଟେମ୍ବରରୁ ସେଠା ଜେଲରେ ଥିଲା। ଭାରତୀୟ ସୁରକ୍ଷା ଏଜେନ୍ସି ଏ ଖବର ପାଇବା ପରେ ମୁନ୍ନା ଭାରତୀୟ ନାଗରିକ ଏବଂ ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ଥିବା ଦର୍ଶାଇ ତାକୁ ଭାରତକୁ ପ୍ରତ୍ୟର୍ପଣ କରିଦେବାକୁ ଥାଇଲାଣ୍ଡ ସରକାରଙ୍କୁ ଅନୁରୋଧ କରିଥିଲା।
ଦାଉଦ ଏକଥା ଜାଣିବା ପରେ, ପାକିସ୍ତାନ ସରକାରଙ୍କୁ ହାତ କରି ମୁନ୍ନା ଝିଙ୍ଗରା ପାକିସ୍ତାନର ନାଗରିକ ବୋଲି ଏକାଧିକ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ସେସବୁକୁ ପାକିସ୍ତାନ ସରକାରଙ୍କ ଦ୍ୱାରା ଥାଇଲାଣ୍ଡ ସରକାରଙ୍କ ନିକଟରେ ଉପସ୍ଥାପିତ କରି ତାକୁ ଭାରତ ବଦଳରେ ପାକିସ୍ତାନ ସରକାରଙ୍କ ହାତରେ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲା। ହେଲେ, ଦୀର୍ଘ ଶୁଣାଣି ପରେ ଥାଇଲାଣ୍ଡ ଅଦାଲତ ପାକିସ୍ତାନ ପକ୍ଷରୁ ଉପସ୍ଥାପିତ ଦଲିଲ୍ ନକଲି ଥିବା ଦର୍ଶାଇ ମୁନ୍ନା ଝିଙ୍ଗରାକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।