ନୂ୍ଆଦିଲ୍ଲୀ : କରୋନାର ଓମିକ୍ରନ୍ ପ୍ରଜାତି ପାଇଁ ମହାରାଷ୍ଟ୍ର ଏହାର ବିମାନବନ୍ଦର କୋଭିଡ୍ ସୁରକ୍ଷା ନୀତିରେ ପରିବର୍ତ୍ତନ ଆଣିଛି। ୩ଟି ଅତ୍ୟନ୍ତ ବିପଦ ଥିବା ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ଆନୁଷ୍ଠାନିକ କ୍ବାରାଣ୍ଟିନ୍ରେ ରହିବେ। ଅତ୍ୟନ୍ତ ବିପଦ ଥିବା ଏହି ୩ ରାଷ୍ଟ୍ର ହେଉଛନ୍ତି ଦକ୍ଷିଣ ଆଫ୍ରିକା, ବୋସ୍ତୱାନା ଏବଂ ଜିମ୍ବାୱେ। ଉପରୋକ୍ତ ୩ ରାଷ୍ଟ୍ରର ଯାତ୍ରୀମାନେ ମହାରାଷ୍ଟ୍ର ପହଞ୍ଚିବାପରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୭ ଦିନ କ୍ବାରାଣ୍ଟିନ୍ରେ ରଖାଯିବ। ୭ ଦିନ ଆନୁଷ୍ଠାନିକ କ୍ବାରାଣ୍ଟିନରେ ରହିବାପରେ ସେମାନେ ପୁଣିଥରେ କରୋନା ଟେଷ୍ଟ୍ କରିବେ ଏବଂ ରିପୋର୍ଟ ନେଗେଟିଭ୍ ଆସିବାପରେ ଆଉ ୭ ଦିନ ହୋମ୍ କ୍ବାରାଣ୍ଟିନ୍ରେ ରହିବେ। ଘରୋଇ ଯାତ୍ରୀମାନଙ୍କୁ ବିମାନବନ୍ଦର ଛାଡ଼ିବା ପୂର୍ବରୁ ୨ଟି ଡୋଜ୍ ଟିକା ସାର୍ଟିଫିକେଟ୍ ଏବଂ ଆର୍ଟିପିସିଆର ଟେଷ୍ଟ୍ ରିପୋର୍ଟ ଦେବାକୁ ପଡ଼ିବ। ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଆସୁଥିବା ଯାତ୍ରୀମାନେ ମୁମ୍ବାଇରେ ଆଉ ବେଶିଦିନ ଆନୁଷ୍ଠାନିକ କ୍ବାରାଣ୍ଟିନ୍ରେ ରହିବେନି। ସେମାନଙ୍କୁ ବିମାନବନ୍ଦରରେ ଆର୍ଟିପିସିଆର ଟେଷ୍ଟ୍ କରିବାକୁ ପଡ଼ିବ ଏବଂ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି, ମହାମାରୀର ପୂର୍ବ ଅଭିଜ୍ଞତାକୁ ଆଧାର କରି ରାଜ୍ୟ ନିୟମ କେନ୍ଦ୍ରଠାରୁ ଭିନ୍ନ ହେବା ଆବଶ୍ୟକ।
ନୂଆ ଏସ୍ଓପି ଜାରି କଲା ତାମିଲନାଡ଼ୁ
ଚେନ୍ନାଇ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ପାଇଁ ତାମିଲନାଡ଼ୁ ସରକାର ଏକ ନୂଆ ଏସ୍ଓପି ଜାରି କରିଛନ୍ତି। ଉକ୍ତ ନୂଆ ଏସ୍ଓପି ଡିସେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ବିପଦ ଥିବା ରାଷ୍ଟ୍ରରୁ ଯେଉଁମାନେ ରାଜ୍ୟ ବିମାନବନ୍ଦରରେ ପହଞ୍ଚିବେ ସେମାନଙ୍କୁ ବାଧ୍ୟତାମୂଳକ କରୋନା ଟେଷ୍ଟ୍ କରିବାକୁ ପଡ଼ିବ। ଆର୍ଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ନଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ବିମାନବନ୍ଦରରେ ରହିବେ। ଇତି ମଧ୍ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ଏ ସୁବ୍ରମଣ୍ୟମ୍ କହିଛନ୍ତି, ଟିକା ନେଇନଥିବା ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଟିକା ନେଇଥିଲେ ହିଁ ସରକାରୀ ମଦ ଦୋକାନରେ ମଦ ମିଳିବ।