ନୂଆଦିଲ୍ଲୀ: ନିଶା ଭଳି ଏକ ଖରାପ ଅଭ୍ୟାସର ପରିଣାମ କେତେ ଯେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଋଷର ଟାଟିନସ୍କି ଜିଲ୍ଲାର ତୋମତୋର ଗ୍ରାମରେ ହୋଇଥିବା ଏକ ପାର୍ଟିରୁ ଅନୁମାନ କରାଯାଇପାରେ । ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ନିଶାରେ ଥିବା କିଛି ଲୋକ ପାଖରେ ଥିବା ସାନିଟାଇଜର ପିଇଦେଇଥିଲେ । ଏହା ପରେ ସାନିଟାଇଜର ପିଇଥିବା ଲୋକମାନଙ୍କର ଦେହ ଅସୁସ୍ଥ ହେବାରୁ କିଛି ଲୋକ ସେମାନଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରେ ଚିକିତ୍ସା ଚାଲୁଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି । ସୂଚନା ମୁତାବକ, ସେମାନେ ପିଇଥିବା ସାନିଟାଇଜରରେ ୬୯ ପ୍ରତିଶତ ମିଥାନୋଲ ଭାଗ ରହିଥିଲା। ମହାମାରୀ କାରଣରୁ ଏହି ସାନିଟାଇଜର ହାତ ସଫା କରିବା ପାଇଁ ବଜାରରେ ବିକ୍ରି କରାଯାଉଛି ।
ଏକ ଜାତୀୟ ଗଣମାଧ୍ୟମରେ ସୂଚନା ମୁତାବକ ଋଷର ଟାଟିନସ୍କି ଜିଲ୍ଲାର ତୋମତୋର ଗ୍ରାମରେ ହୋ ହାଲ୍ଲା ଶୁଭିବାରୁ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେଠାରେ ଚାଲୁଥିବା ପାର୍ଟିରେ ଯୋଗ ଦେଇଥିବା କିଛି ଲୋକ ଅଚାନକ ଅଚେତ ହୋଇଯାଉଥିବା ଦେଖି ଏଭଳି କଣ ପାଇଁ ହେଉଛି, ତାହା ଜାଣିବା ପାଇଁ ସେଠାରେ ପହଞ୍ଚିଥିବା ଲୋକ ଅଚେତ ହେଉଥିବା ଲୋକଙ୍କ ପାଖରେ ସାନିଟାଇଜର ବୋତଲ ପଡ଼ିଥିବାର ଦେଖିଥିଲେ। ପାର୍ଟି ଚାଲୁଥିବା ବେଳେ କିଛି ଲୋକ ମଦପିଇ ନିଶାଗ୍ରସ୍ତ ଥିବା ବେଳେ ଆହୁରି ମଦ ପିଇବା ପାଇଁ ଚିତ୍କାର କରିଥିଲେ। କିନ୍ତୁ ମଦ ସରିଯାଇଥିବାରୁ କେହି ଜଣେ ମଦ ବଦଳରେ ନିଶାଗ୍ରସ୍ତ ଲୋକମାନଙ୍କୁ ସାନିଟାଇଜର ବୋତଲ ଧରାଇ ଦେଇଥିଲେ । ନିଶାରେ ଥିବା ଲୋକମାନେ ଏହାକୁ ଜାଣି ନପାରି ପିଇଦେଇଥିଲେ ବୋଲି ଜଣା ପଡ଼ିଥିଲା । ଏହି ଘଟଣା ପରେ ଋଷ ସରକାର ଲୋକମାନଙ୍କୁ ଅନୁରୋଧ କରିଛନ୍ତି କି ନିଶା ଖାଉଥିବା ସମୟରେ କେହି ସାନିଟାଇଜର ବ୍ୟବହାର ନକରନ୍ତୁ ।