ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ ଘଟଣାରେ ୭ ଗିରଫ

କୋଲକାତା : ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଗୁରୁବାର ଡାଇମଣ୍ଡ ହାରବରରେ ହୋଇଥିବା ପଥରମାଡ଼ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋଲକାତା ପୁଲିସ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍‌ତା ଥାନା ଅଞ୍ଚଳରୁ ଚାରି ଜଣ ଏବଂ ଉସ୍ତି ଥାନା ଅଞ୍ଚଳରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ସାତ ଜଣଙ୍କୁ ଦଙ୍ଗା, ଜନସେବା କାର୍ଯ୍ୟରେ ବାଧା ଦେବା ସହିତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ଗିରଫ କରାଯାଇଛି ବୋଲି ଜନୈକ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁବାର ସକାଳେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଡାଇମଣ୍ଡ ହାରବରରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ବୈଠକରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ନଡ୍ଡାଙ୍କ ଗାଡ଼ି ଉପରକୁ ତୃଣମୂଳ କର୍ମୀମାନେ ଟେକାପଥର ମାଡ଼ କରିଥିଲେ। ଏଥିରେ ନଡ୍ଡା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ସହ ଯାଉଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ମହାସଚିବ କୈଳାସ ବିଜୟବର୍ଗୀୟ, ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଆହତ ହୋଇଥିଲେ ଏବଂ ‌ସେମାନଙ୍କ ଗାଡ଼ିର କାଚ ଭାଙ୍ଗିଥିଲା। ବିଜେପିର ୮ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ବିଜେପି ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ମାମଲା ଆଧାରରେ ୭ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର