ନକଲିି ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ୭ ପାଇଲଟଙ୍କୁ ନିଲମ୍ବିତ କଲା ବିମାନ କଂପାନି

ଇସଲାମାବାଦ୍‌: ପାକିସ୍ତାନର ରାଷ୍ଟ୍ରୀୟ ବିମାନ କଂପାନି ସାତ ଜଣ ପାଇଲଟଙ୍କ ସମେତ ୫୦ ରୁ ଅଧିକ କର୍ମଚାରୀଙ୍କର ଅନୁବନ୍ଧନ ରଦ୍ଦ କରିଥିବା ଜଣାଯାଇଛି। ଏମାନେ ସମସ୍ତେ ନକଲି ଡିଗ୍ରି ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବାର ପ୍ରମାଣିତ ହେଲା ପରେ ଦୋଷୀ ସାବ୍ୟସ୍ତ ହେଲେ। ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ କର୍ମଚାରୀଙ୍କ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ସି ଏ ଏ) ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଇଣ୍ଟରନେସନାଲ୍‌ ଏୟାରଲାଇନ୍ସର କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ କେତେକ ଶିକ୍ଷାନୁଷ୍ଠାନରୁ ନକଲି ସାର୍ଟିଫିକେଟ୍‌ ଆଣିଥିଲେ ବୋଲି ଜଣାଯାଇଛି। ପି ଆଇ ଏର ମୁଖପାତ୍ର ମସଜୁଦ୍‌ ତଜଓ୍ଵର କହିଛନ୍ତି ଯେ ନକଲି ପ୍ରମାଣପତ୍ର ରଖିଥିବା ଅନ୍ୟ ସମସ୍ତ କର୍ମଚାରୀମାନଙ୍କ ସଂପର୍କରେ ବି ତଦନ୍ତ ଆରମ୍ଭ ହୋଇଯାଇଛି। ସିଏଏ କହିଛି କି ପି ଆଇଏ ର ୪୦୦ ଅନ୍ୟ କର୍ମଚାରୀମାନଙ୍କର ଡିଗ୍ରି ପ୍ରମାଣ ପତ୍ରର ତଦନ୍ତ ଚାଲିଛି। ପି ଆଇଏର ମହାନିର୍ଦ୍ଦେଶକ ହସନ ବେଗ୍‌ ସମସ୍ତ ପାଇଲଟ୍‌ ଓ ବିମାନ କର୍ମଚାରୀମାନଙ୍କର ଲାଇସେନ୍ସକୁ ବି ବାତିଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏ ଯାଏଁ ଲାଇସେନ୍ସ ଜମା କରିନାହାଁନ୍ତି,ସେମାନଙ୍କୁ ନିଲମ୍ବିତ କରିବାର ଆଦେଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର