ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ କାଏମ: ୭ ପୁଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡ

ପୁଲିସ୍‌ର ମିଛ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲେ ଏମ୍‌ବିଏ ଛାତ୍ର

ନୂଆଦିଲ୍ଲୀ: ମିଛ ଏନ୍‌କାଉଣ୍ଟର ମାମଲାରେ ଏକ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୭ ଜଣ ପୁଲିସ କର୍ମଚାରୀଙ୍କ ଆଜୀବନ କାରାଦଣ୍ଡ ସଜାକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଛନ୍ତି। ସେହିପରି ହାଇକୋର୍ଟ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରମାଣ ପତ୍ର ଅଭାବରୁ ଦୋଷମୁକ୍ତ କରିଛନ୍ତି। ଉତ୍ତରାଖଣ୍ଡରେ ୨୦୦୯ରେ ହୋଇଥିବା ଏହି ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ ନିମ୍ନ ଅଦାଲତ ୪ ବର୍ଷ ତଳେ ଏହି ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସଜା ଦେଇଥିଲେ।

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଏହି ମାମଲାର ୨୦୧୪ ଜୁନ ୬ରେ ରାୟ ପ୍ରକାଶ କରି ୨୨ ଜଣ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୧୮ଙ୍କୁ ହତ୍ୟା, ଅପହରଣ ଓ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଉତ୍ତରାଖଣ୍ଡ ପୁଲିସର ସଂଶ୍ଲିଷ୍ଟତା ଥିବା ନେଇ ସିବିଆଇ ଦ୍ୱାରା ଯାଞ୍ଚ କରାଯାଇଥିଲା।

ମାମଲା ଥିଲା ଏମିତି

୨୦୦୯ ଜୁଲାଇ ୩ ପୁଲିସ କର୍ମଚାରୀମାନେ ଏକ ମିଛ ଏନ୍‌କାଉଣ୍ଟର କରିଥିଲେ। ପୁଲିସ ଗାଜିଆବାଦ ନିବାସୀ ୨୨ ବର୍ଷିଅ ଏମ୍‌ବିଏ ଛାତ୍ର ରଣବୀର ସିଂହଙ୍କୁ ଡେରାଡୁନ୍‌ରେ ଗୁଳି କରି ହତ୍ୟା କରି ଦେଇଥିଲେ। ପୁଲିସ ଏହାକୁ ଏନ୍‌କାଉଣ୍ଟର କହିଥିଲା।

ପୁଲିସ କୋର୍ଟରେ ଏନ୍‌କାଉଣ୍ଟରକୁ ପ୍ରମାଣିତ କରିବାରେ ବିଫଳ ହୋଇଥିଲା। ନିମ୍ନ ଅଦାଳତରେ ୧୮ ଜଣ ପୁଲିସ କର୍ମଚାରୀ ମିଛ ଏନ୍‌କାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍‌ ହୋଇଥିଲେ। ହାଇକୋର୍ଟ ୧୧ ପୁଲିସ କର୍ମଚାରୀଙ୍କୁ ପ୍ରମାଣ ପତ୍ର ଅଭାବରୁ ଦୋଷମୁକ୍ତ କରିଛି। ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହୋଇଥିବା ୭ ଜଣ ପୁଲିସ କର୍ମଚାରୀ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପାରନ୍ତି।

ସମ୍ବନ୍ଧିତ ଖବର