ଯୋଗୀ ଆଦିତ୍ୟନାଥଙ୍କ ୭ଟି ରେକର୍ଡ

ଉତ୍ତରପ୍ରଦେଶରେ ବି‌ଜେପିର ଐତିହାସିକ ବିଜୟ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର (ଅର୍ବାନ୍‌) ଆସନରୁ ବିଜୟୀ ହୋଇଛନ୍ତି। ଯୋଗୀ ଆଦିତ୍ୟନାଥ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ତେବେ ବିଜେପି ଏବଂ ଯୋଗୀ ଉତ୍ତରପ୍ରଦେଶରେ ୭ଟି ରେକର୍ଡ କରିଛନ୍ତି । ସେହି ରେକର୍ଡ ଗୁଡ଼ିକ ହେଉଛି…

୧- ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ କାର୍ଯ୍ୟକାଳ ଶେଷ କଲେ ଏବଂ ଦ୍ବିତୀୟ ଥର ଜିତିଲେ
ଉତ୍ତରପ୍ରଦେଶରେ ପ୍ରଥମ ବିଧାନସଭା ୧୯୫୨ ମେ’ ୨୦ରେ ପ୍ରତିଷ୍ଠା ହୋଇଥିଲା। ରାଜ୍ୟ ୭୦ ବର୍ଷ ମଧ୍ୟରେ ପ୍ରାୟ ୨୧ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି। ତେବେ ଦୀର୍ଘ ୭୦ ବର୍ଷର ଉତ୍ତରପ୍ରଦେଶ ନିର୍ବାଚନ ଇତିହାସ‌ରେ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ୫ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି ଏବଂ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି।

୨- ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଜିତିଲେ
ଯୋଗୀ ଆଦିତ୍ୟନାଥଙ୍କ ସମେତ ମୋଟ୍‌ ୫ ଜଣ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶରେ ଲଗାତାର ଦ୍ବିତୀୟ ଥର ନିର୍ବାଚନ ଜିତିଛନ୍ତି। ଯୋଗୀଙ୍କ ପୂର୍ବରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ସମ୍ପୂର୍ଣ୍ଣାନନ୍ଦ (୧୯୫୭), ଚନ୍ଦ୍ରଭାନୁ ଗୁପ୍ତା (୧୯୬୨), ହେମବତୀ ନନ୍ଦନ ବହୁଗୁଣା (୧୯୭୪)ଏବଂ ନାରାୟଣ ଦତ୍ତ ତିୱାରୀ (୧୯୮୫)।

୩- ୩୭ ବର୍ଷ ମଧ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର କ୍ଷମତାକୁ ଆସିବେ
୧୯୮୫ରେ କଂଗ୍ରେସର ଏନ୍‌ଡି ତିୱାରୀ ଅବିଭକ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ରାଜ୍ୟ ନିର୍ବାଚନରେ କଂଗ୍ରେସ ଜିତିଥିଲା ଏବଂ ତିୱାରୀ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଥିଲେ। ସେବେଠାରୁ ଲଗାତାର ଦ୍ବିତୀୟ ଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀ ବି କ୍ଷମତାକୁ ଫେରିନାହାନ୍ତି। ଯୋଗୀ ଆଦିତ୍ୟନାଥ ଦୀର୍ଘ ୩୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦ୍ବିତୀୟ ଥର କ୍ଷମତାରେ ରହିବେ।

୪- କ୍ଷମତାକୁ ଫେରିବାରେ ପ୍ରଥମ ବି‌ଜେପି ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶ ଏଯାବତ୍‌ ୪ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି। ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ କଲ୍ୟାଣ ସିଂହ, ରାମ ପ୍ରକାଶ ଗୁପ୍ତା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ପଦରେ ଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଜଣେ ବି ଲଗାତାର ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଯୋଗୀ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଏହା ହାସଲ କରିଛନ୍ତି।

୫- ୧୫ ବର୍ଷରେ ପ୍ରଥମ ବିଧାୟକ ମୁଖ୍ୟମନ୍ତ୍ରୀ
ଯୋଗୀ ଆଦିତ୍ୟନାଥ ଯେତେବେଳେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେ ସମୟରେ ସେ ପ୍ରଥମ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ପୂର୍ବରୁ ମାୟାବତୀ ୨୦୦୭ରୁ ୨୦୧୨ରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମ୍‌ଏଲ୍‌ସି ଥିଲେ। ଅଖିଳେଶ ମଧ୍ୟ ୨୦୧୨ରୁ ୨୦୧୭ ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମ୍‌ଏଲ୍‌ସି ଥିଲେ।

୬- କାର୍ଯ୍ୟକାଳ ଶେଷ କରିବାରେ ତୃତୀୟ ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିବାରେ ଯୋଗୀ ହେଉଛନ୍ତି ତୃତୀୟ ମୁଖ୍ୟମନ୍ତ୍ରୀ। ଦୀର୍ଘ ୭୦ ବର୍ଷ ମଧ୍ୟରେ ମୋଟ୍‌ ୨୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ‌କେବଳ ୩ ଜଣ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ୨୦୦୭-୨୦୧୨ ମଧ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିଥିଲେ ଏବଂ ସପା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବ ୨୦୧୨-୨୦୧୭ ମଧ୍ୟରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିଥିଲେ।

୭- ନଏଡା ଅନ୍ଧବିଶ୍ବାସ ଭାଙ୍ଗିବାରେ ପ୍ରଥମ ମୁଖ୍ୟମନ୍ତ୍ରୀ
ନଏଡା ଅନ୍ଧବିଶ୍ବାସ ଭାଙ୍ଗିବାରେ ଯୋଗୀ ଆଦିତ୍ୟନାଥ ପ୍ରଥମ ମୁଖ୍ୟମନ୍ତ୍ରୀ। ନଏଡ଼ାର ଅନ୍ଧବିଶ୍ବାସ ହେଉଛି ଯେଉଁ ବି ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ସମୟରେ ନଏଡା ସହର ଗସ୍ତ କରିଥି‌ବେ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିପାରିବେନି କିମ୍ବା ପରବର୍ତ୍ତୀ ନିର୍ବାଚନରେ ଜିତିପାରିବେନି। କିନ୍ତୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ନଏଡା ଅନ୍ଧବିଶ୍ବାସକୁ ପଛରେ ପକାଇ ୨୦୧୮ ଡିସେମ୍ବର ୨୫ରେ ଦିଲ୍ଲୀ ମେଟ୍ରୋ ମାଜେଣ୍ଟା ଲାଇନ୍‌ ଉଦ୍‌ଘାଟନ କରିବା ପାଇଁ ନଏଡା ଯାଇଥିଲେ। ନଏଡା ଗସ୍ତ କରି ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଶେଷ କରିଛନ୍ତି ଏବଂ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହାଦ୍ବାରା ସେ ନଏଡା ଅନ୍ଧବିଶ୍ବାସ ଭାଙ୍ଗିଛନ୍ତି।

ସମ୍ବନ୍ଧିତ ଖବର