ବସ ଯୋଗେ ଲୋକମାନଙ୍କ ପରିବହନକୁ ୭ଟି ରାଜ୍ୟର ବିରୋଧ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି

ନୂଆଦିଲ୍ଲୀ : ଭାରତ ସରକାର ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ । ତେବେ ଏହାକୁ କେତେକ ରାଜ୍ୟ ବିରୋଧ କରିଛନ୍ତି । ଏସବୁ ରାଜ୍ୟ ହେଲେ ତେଲେଙ୍ଗାନା, କେରଳ, ତାମିଲନାଡ଼ୁ,ମହାରାଷ୍ଟ୍ର,ପଞ୍ଜାବ, ବିହାର ଓ ରାଜସ୍ଥାନ । ଏସବୁ ରାଜ୍ୟ କହିଛନ୍ତି ଯେ ସଡ଼କ ପଥରେ ହଜାର ହଜାର ଲୋକଙ୍କୁ ପରିବହନ କରିବା ସୁରକ୍ଷିତ ହେବ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଯିବା ଆବଶ୍ୟକ ।

ଆଜି କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଥିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ ଜାରି ହୋଇଛି ।

ଗତକାଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ସର୍କୁଲାରରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଏହି ଲୋକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିବାକୁ ଜଣେ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରିବା ଆବଶ୍ୟକ । ଏହି ଶୀର୍ଷ ଅଧିକାରୀ ହିଁ ଏହି କାର୍ଯ୍ୟର ତଦାରଖ କରିବେ । ପ୍ରଥମେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଫେରିବାକୁ ଅନୁମତି ଦିଆଯିବ । ଯଦି ସେମାନେ କରୋନା ସଂକ୍ରମିତ ଥିବେ ସେମାନଙ୍କୁ ଫେରିବା ଅନୁମତି ଦିଆଯିବ ନାହିଁ ବୋଲି ଏହି ସର୍କୁଲାରରେ କୁହାଯାଇଛି ।

ସମ୍ବନ୍ଧିତ ଖବର