୭୦% କୋଭିଡ୍‌ ମୃତ୍ୟୁ ୬ଟି ରାଜ୍ୟରେ

ନୂଆଦିଲ୍ଲୀ: ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଆଣି ଦେଶ ମହାମାରୀ କୋଭିଡ୍‌-୧୯ର ଘାତକ ଦ୍ବିତୀୟ ଲହରରୁ ଧୀରେ ଧୀରେ ମୁକୁଳିବାକୁ ଉଦ୍ୟମ ଜାରି ରଖିଛି। ତେବେ ଦିନକୁ ତଥାପି ତିନି ହଜାରରୁ ଅଧିକ ପୀଡ଼ିତଙ୍କର ମୃତ୍ୟୁ ଘଟିବା ସରକାର ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦୀର୍ଘ ୩୬ ଦିନ ପରେ ଦେଶରେ ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟା ମଙ୍ଗଳବାର ୩ ହଜାର ତଳକୁ ଖସି ଆସିଥିବା ବେଳେ ବୁଧବାର ପୁଣି ୩ ହଜାର ଟପିଯାଇଛି। ବୁଧବାର ସକାଳ ୮ଟା ସୁଦ୍ଧା ଦେଶରେ ୩,୨୦୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ସଦ୍ୟ ମୃତକମାନଙ୍କ ଭିତରେ ୭୦ ପ୍ରତିଶତରୁ ଅଧିକ ମାମଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ ଓ ପଶ୍ଟିମବଙ୍ଗରେ ଘଟିଥିବା ଜଣାଯାଇଛି।

ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୫୪ ଜଣ, ତାମିଲନାଡୁରେ ୪୯୦ ଜଣ, କର୍ଣ୍ଣାଟକରେ ୪୬୪ ଜଣ, କେରଳରେ ୧୯୪ ଜଣ, ଉତ୍ତରପ୍ରଦେଶରେ ୧୭୫ ଜଣ, ପଶ୍ଚିମବଙ୍ଗରେ ୧୩୭ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୦୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଛଅଟି ରାଜ୍ୟ ଏପରି ଦେଶର ସଦ୍ୟ ଦୈନିକ କୋଭିଡ୍‌ ମୃତକ ସଂଖ୍ୟାର ୭୨.୨ ପ୍ରତିଶତ ପାଇଁ ଦାୟୀ ଥିବା ସ୍ପଷ୍ଟ ହୋଇଛି। ଦେଶରେ ଅଦ୍ୟାବଧି ମୋଟ ୩,୩୫,୧୦୨ ଜଣ କୋଭିଡ୍‌ରେ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୯୬,୧୯୮ ଜଣ, କର୍ଣ୍ଣାଟକରେ ୨୯,୫୫୪ ଜଣ, ତାମିଲନାଡୁରେ ୨୪,୭୨୨ ଜଣ, ଦିଲ୍ଲୀରେ ୨୪,୨୯୯ ଜଣ, ଉତ୍ତରପ୍ରଦେଶରେ ୨୦,୬୭୨ ଜଣ, ପଶ୍ଚିମବଙ୍ଗରେ ୧୫,୬୭୮ ଜଣ, ପଞ୍ଜାବରେ ୧୪,୬୪୯ ଜଣ ଓ ଛତିଶଗଡ଼ରେ ୧୩,୦୭୭ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରେକର୍ଡରୁ ଜଣାଯାଇଛି।

ସମ୍ବନ୍ଧିତ ଖବର